ମାନସ
ମାନସ
ମୁଖ ନିସୃତଃ କବିତା – ସନ୍ଥ କବୀର ଦାସ
ଅନୁବାଦ – Dr Subas Chandra Rout
ସକଳ ଦୁର୍ମତି ବିଦାୟ କରି, ଭଲ ଜୀବନ ବନାଅ,
କାକର ଗତି ବଦଳ ଦରି, ହଂସ ଚାଲି ତୁମେ ନିଅ ।
ଏ ମନ ଥିଲା କାକ ସ୍ୱରୁପ, ଥିଲା ତାର ଧ୍ୱଂସ ନୀତି,
ଏବେ ବଦଳି ହଂସ ସ୍ୱରୁପ, ବାଛି ବାଛି ଖାଏ ମୋତି ।
ତନୁ ବୋଇତ, ମାନସ କାକ, ଲକ୍ଷେ ଯୋଜନ ଉଡ଼ଇ,
କେବେ ଅଗମ୍ୟ ସିନ୍ଧୁ ପରେ ତ, କେବେ ଗଗନେ ମିଳେଇ ।
ତନୁ ପାଗଳା ହାତୀ, ମାନେନି, ହୋଇ ଯାଏ ଇଚ୍ଛା ଦାସ,
ମାହୁନ୍ତ ବିଚରା ଉପାୟ ହୀନ, ନାହିଁ ହାତରେ ଅଂକୁଶ ।
ମନଠୁ ହାରିଲେ ହୁଅ ପରାସ୍ତ, ମନକୁ ଜିତିଲେ ଜିତ,
ମନର ହାର, ହାର ହିଁ ହାର, ମନକୁ ଜିତିଲେ ଜୟ,
ପରମାତ୍ମାଙ୍କୁ ପ୍ରାପ୍ତ କରେ ସେ, ଆତ୍ମାରେ ହୁଏ ପ୍ରତୀତ ।
ମନ ବିଜୟୀ ପ୍ରଭୁଙ୍କୁ ପାଏ ରଖିଲେ ମନର ଲୟ ।
ଧିରେ ରେ ମନ ଧୈର୍ଯ୍ୟ ତୁ ରଖ, ଧିରେ ସବୁ କିଛି ହୁଏ,
ମାଳି ଢାଳିଲେ ବି ଶହେ ଗରା, ୠତୁ ହେଲେ ଫଳ ହୁଏ ।
ମନ କଥାରେ ଚାଲନ୍ତୁ ନାହିଁ, ମନ ପକ୍କା ବଦମାସୀ,
ମଝି ଧାରରେ ବୁଡେ଼ଇ ଦେଇ, ଚାଲି ଯିବ ସେ ତ ଖସି ।
ଦର୍ଶନ ଇଚ୍ଛା କରୁଛ ଯଦି, କର ଦର୍ପଣ ସଫେଇ,
ଦର୍ପଣେ ଯଦି ଧୂଳି ଲାଗିଛି, ଦର୍ଶନ ପାଇବୁ କାହିଁ?
ହୃଦ ଭିତର ଆରଶି କିନ୍ତୁ ମୁଖ ଦେଖା ଯାଏ ନାହିଁ,
ଦ୍ୱିଧା ପରଦା ହଟି ଗଲେହିଁ ମୁଖ ଦେଖିବ ଯାଇ ।
କବୀର ମନ ନିର୍ମଳ ଅତି, ଯେମିତି ଗଙ୍ଗାର ନୀର,
ତାଙ୍କ ପଛରେ ହରି ଚାଲନ୍ତି, ଡ଼ାକି କବୀର କବୀର ।
