ମାଁ ର ମମତା
ମାଁ ର ମମତା
ମମତାର ଡୋରି ରହିଅଛି ପୁରୀ
ଗର୍ଭଧାରୀ ମୋ ଜନନୀ
ସନ୍ତାନ ବତ୍ସଳା କେବେ ନୁହେଁ ହେଳା
ଆଶ୍ରୟ ତା ପଣତକାନି ।
ବକ୍ଷରୁ ଯାହାର ଅମୃତରଧାର
ଝରି ପୁରାଏ ଉଦର
କୋଳରେ ବସାଇ ଦିଅଇ ଆଉଁସି
ସେବାକରେ ଦିବାରାତ୍ର।
ମାତୃତ୍ଵ କୁ ଲଭି ଭୁଲିଯାଇ ଦୁଃଖ
ସହିଛି କେତେ କଷଣ
ସନ୍ତାନର ମୁଖ ନିତି ସେ ଦେଖଇ
ନ ବୁଝେ ତାହାରି ମନ ।
ଦଶମାସ ଧରି ଗର୍ଭରେ ତାହାର
ସହିଛି ଗର୍ଭ ଯନ୍ତ୍ରଣା
ଜୀବନ ଉତ୍ସର୍ଗୀ ସନ୍ତାନର ପାଇଁ
ମନ ନ କରଇ ଉଣା ।
ସହିବା ପଣରେ ବସୁମତୀ ସମ
ବତ୍ସଲ୍ଯ ମମତା ପ୍ରେମ
ଜନନୀର ହୃଦ ବିଶାଳ ଆକାଶ
ଯେହ୍ନେ ମେରୁ ଗିରି ସମ ।
ପ୍ରଥମ ଗୁରୁଟି ଅଟଇ ଜନନୀ
ଶିକ୍ଷା ଦୀକ୍ଷା କର୍ଣ୍ଣ ଗୁରୁ
ଚିକିତ୍ସା ବିଜ୍ଞାନୀ ଗୁଣେ ଅଧିକାରୀ
ଲଘୁ ରୁ କରଇ ଗୁରୁ ।
ଜନନୀର ଯେଉଁ ମହତ ପଣିଆ
ସନ୍ତାନର ପାଇଁ ତ୍ୟାଗ
କେଉଁଠି ହେଲେବି ଖୋଜିଲେ ମିଳେ ନାଁ
ଜନନୀ ଅଟନ୍ତି ସ୍ଵର୍ଗ ।