ମାଗୁଛି ମୁଁ ହାତପାତି
ମାଗୁଛି ମୁଁ ହାତପାତି
ଶ୍ରୀମନ୍ଦିରେ ଯାଇ କାଳିଆ ସାଆନ୍ତ
ଶ୍ରୀଛନ୍ଦା ଯୁଗଳ ପଦେ
ଗୁହାରି କରିବି କିଅବା ମାଗିବି
ବୁଦ୍ଧି ଦିଶୁନାହିଁ ମୋତେ ।
ସେତ ସର୍ବ ଜ୍ଞାତା ଜଗତ କରତା
ଅନାଦି ଅନନ୍ତ ନାଥ
ନୀଳାଦ୍ରି ବିହାରୀ ଶ୍ରୀ ନୀଳ ସୁନ୍ଦର
ତାଙ୍କ ଗଢା ଏ ଜଗତ ।।
ଯାହା ମୁଁ କହଇ ଯାହା ମୁଁ କରଇ
ଯାହା ଅବା ଚିନ୍ତା କରେ
ପ୍ରତିକଥା ମୋର ଯାଣନ୍ତି ଈଶ୍ଵର
ଅଛନ୍ତି ମୋ ହୃଦୟ ରେ ।
ତାଙ୍କ ମହାଦାନ ସତ୍ୟ ସନାତନ
ଭୁଲି ଆଜି ପାପ ପଥେ
ପଡି ନାରଖାର ହୁଏ ମୋ ଅନ୍ତର
ଜୀବନର ଶେଷ ପ୍ରାନ୍ତେ ।।
ପାପ ରେ ଅଧୀର ହୁଏ ପ୍ରାଣ ମୋର
ଲାଜ ଲାଗେ ମହାବାହୁ
ତୁମ ସମ୍ମୁଖକୁ ଯିବି ବା କିପରି
ଢାଙ୍କିଅଛି ପପ ରାହୁ ।
ଆହେ ଦୟାମୟ ପାପ ଭରା ଭୟ
କବଳ କରିଛି ଆସି
କୃପା ଜଳ ରାଶି ଦିଅ ହେ ପରଶି
ପାପ ତାପ ଯାଉ ଭାସି ।।
ସାହସ ତ ନାହିଁ ପାପି ମୁହଁ ନେଇ
ସମ୍ମୁଖକୁ ଯିବା ପାଇଁ
ପାପ ଧୋଇ ନେଲେ ସତେ ଅବା ଥରେ
ଶ୍ରୀମୁଖ ଦେଖିବି ଯାଇ ।
ସର୍ବ ବିଦ୍ୟମାନ ତୁମେତ ମହାନ
ମୁଁ ତୋ ପଦ ତଳ ଦାସ
ଅଜ୍ଞାନୀ ମୁଁ ମୁଢ ଆହେ ଆଦିମୂଳ
ତୁମେ ମୋ ପରାଣ ଈଶ ।।
ହୁଅ ହେ ସଦୟ ଦିଅ ହେ ଅଭୟ
ମହାପ୍ରଭୁ ଜଗନ୍ନାଥ
ତୁମ ଶ୍ରୀମନ୍ଦିର ଦୁଆରେ ପ୍ରଫୁଲ୍ଲ
ମାଗୁଛି ପତାଇ ହାତ ।।
