ମାଦଳ
ମାଦଳ
ଶୀତ ସକାଳର ସୁଲୁସୁଲୁ ବାଆ
ମନେ ଆଣେ ଶିହରଣ
କାକରରେ ଭିଜା ଘାସ ଗାଲିଚାରେ
ଚାଲିବାକୁ ହୁଏ ମନ ।
ଘାସର ଉପରେ କାକର ର ବିନ୍ଦୁ
ମୁକ୍ତା ସମ ଝଲସଇ
ଶୀତଦିନେ ଯିଏ ବ୍ୟାୟାମ କରିଲେ
ଉତ୍ତମ ସ୍ୱାସ୍ଥ୍ୟ ରୁହଇ ।
ସୋରିଷ ଖେତର ଅଳସ କି ସତେ
ଭାଙ୍ଗୁଥାଏ ଶୀତ ଆସି
ଶୀତ ସକାଳର ହାଡଭଙ୍ଗା ଶୀତ
କଷ୍ଟ ଦେଇଥାଏ ବେଶୀ ।
ସ୍ମୃତିର ମେଖଳା ପିନ୍ଧି ଶୀତ ଆସେ
ଗାଏ ଶୀତ ଯେ ଗଜଲ
ପଉଷ ମାଦଳ ବାଦ୍ୟ କି ବଜାଇ
ସୃଷ୍ଟି କରେ କୋଳାହଳ ।
ସକାଳୁ ଉଠିଣ ଗାଁ ର ବୋହୂ ଯେତେ
କରନ୍ତି କେତେ କବାର
ପ୍ରତ୍ୟୁଷରେ କିଏ ଭଗବାନ ପୂଜେ
କା'ର ଲିପାପୋଛା ଘର ।
ଝରି ପଡୁ଼ଥାଏ ଟିପଟିପ କରି
କୁହୁଡି କାକର ବିନ୍ଧୁ
ପ୍ରମାଣିତ ଅଛି ଜଳବିନ୍ଦୁ ମିଶି
ହୋଇଯାଏ ଶେଷେ ସିନ୍ଧୁ ।
ଗାଁଆଁମୁଣ୍ଡ ଶେଷେ ସକାଳ ସମୟେ
ଶୀତ ଦାୟ ରକ୍ଷା ପାଇଁ
ନିଆଁ ଜାଳି ବସି ଚାରିପାଖେ ଥାନ୍ତି
କଣ ବର୍ଣ୍ଣିବା ବୁଝାଇ ।
ଅନ୍ଧାର କୁହୁଡ଼ି ଭେଦକରି ଆସେ
ସୂର୍ଯ୍ୟଙ୍କ କିରଣ ଚାଲି
ଧରିତ୍ରୀ ହସଇ ସୁନେଲି କିରଣେ
ସତେଗଲା ଖୁସି ମିଳି ।
ଷଡଋତୁ ମଧ୍ୟେ ଶୀତଟି ଶଖାଏ
ପରିସ୍ଥିତି ଦେଖିଚଲ
ଯେଉଁ ପରିସ୍ଥିତି ଜୀବନରେ ଆସୁ
ହାରିବନି ମନୋବଳ ।
