ମାଧୁରୀମା
ମାଧୁରୀମା


ଶ୍ରାବଣେ ବନାନୀ ସବୁଜ ନିଳୟେ
ସଜାଇଛି ନୂଆ ବେଶ,
ପଲ୍ଲବ ଥାଳିରେ ଉପମା ନୈବେଦ୍ୟ
ବାରିରେ ପଖାଳେ କେଶ ॥
ଲଣ୍ତା ପାହାଡରେ ସବୁଜିମା ହସେ
ମଳୟରେ ଖେଳି ଦୋଳି,
କୁସୁମ ନୃତ୍ୟରେ ଶିଖୀ ନୃତ୍ୟ କରେ
ପୁଛକୁ କରି ମର୍ଦ୍ଦଳୀ ॥
କ୍ଷେତ ବୁଡଦିଏ ଶ୍ରାବଣ ବୁଡରେ
ଗର୍ତ୍ତେ ବୁଡେ କଂକଲୀନା,
ବାଲ୍ମିକୀ ଉଆସୁ ସର୍ପରାଜ ହସେ
ଭୁଞ୍ଜିବାକୁ ମଣ୍ତୁକୀନା ॥
ସବୁଜ ପାଟରେ ବନାନୀ ସୁନ୍ଦରୀ
ସାଜିଥାଏ ପାଟରାଣୀ,
ମେଘ ପାଲିଙ୍କି ପରିବେଶ ରାଜା
ନଭେ ବାଢନ୍ତି ରୋଷଣୀ ॥
କଳାମେଘ କୋଳେ ବଜ୍ର କରବାଳେ
ମୂଷଳ ଧାରା ଗରଜେ,
ଭଂଗା କୁଡିଆରେ ଶିରାଳ ଶରୀରେ
କୃଷକ ବାପୁଡା ଭିଜେ ॥
ନଡା ଉଟଜରେ କୁଞ୍ଚିତ ଆଶ୍ରାରେ
ଲତାଏଁ ସାଜି ସର୍ପିଳ,
ନବ ପଲ୍ଲବରେ ଶିରେ ମଣ୍ତି ପୁଷ୍ପ
ବାଢନ୍ତି ପ୍ରୀତି ମଣ୍ତଳ ॥
ଜହ୍ନ ଆଲୁଅର ଲୁଚକାଳି ଖେଳ
କଳା ବାଦଲ ଉହାଡେ,
ଝିଂକାରୀ ଶବଦେ ନିଶାର ଆହ୍ଲାଦେ
ମାନସ ହଂସ ଟା ଉଡେ ॥
ମର୍ଦ୍ଦଳୀ-ଛତାପ୍ରାୟ,କଂକଲୀନା-କଂକଡା ପ୍ରଜାତି
ମଣ୍ତୁକୀନା-ମଣ୍ତୁକ ପ୍ରଜାତି,ବାଲ୍ମିକୀ-ଉଇହୁଂକା