ମାଧୁରୀ ଜଳ ଭଉଁରୀ
ମାଧୁରୀ ଜଳ ଭଉଁରୀ
ହଳଦୀ ବର୍ଣ୍ଣର ସୂରୁଜ କିରଣ
ଭାସି ଆସୁଥିବା ବେଳେ
ଢେଲାଟିଏ କିଏ ମାରିଲା ଆତୁରେ
ପଡିଲା ସମୁଦ୍ର ଜଳେ।
ଆଘାତ କରି ସେ ସେ ଜଳରାଶିକୁ
ରଚିଲା ଅଦ୍ଭୁତ ଖେଳ
ଛିଟିକି ପଡିଲା ଆଖି ପିଛୁଳାକେ
କେଇ ବୁନ୍ଦା ତୋଫା ଜଳ।
ଉପରକୁ ଉଠି ସେହି ଜଳ ବୁନ୍ଦା
ସୃଷ୍ଟି କରିଥିଲା ଶୋଭା
ଲାଗୁଥିଲା କେଉଁ ଉଦ୍ୟାନ ଅପ୍ସରୀ
ହୋଇଛନ୍ତି ସେଠି ଉଭା।
ସେ ଜଳ ବିନ୍ଦୁରେ କିରଣଟି ବାଜି
ରଚିଲା ବିବିଧ ରଙ୍ଗ
ସେ ବିନ୍ଦୁର ପ୍ରତିବିମ୍ବ ଦେଖାହେଲା
ସତେ ଅବା ଅସ୍ତରଙ୍ଗ।
ଢେଲା ଛୁଆଁ ଜାଗା ଚାରିପାଖେ ସୃଷ୍ଟ
ମାଧୁରୀ ଜଳ ଭଉଁରୀ
ସତେକି ଆଙ୍କିଛି କେଉଁ ଚିତ୍ରକର
ବୃତ୍ତୀୟ ପରିଧି ପରି।
ସୂର୍ଯ୍ୟ କିରଣଟି କର୍ଣ୍ଣ ତୀର ସମ
ଯେବେ ଛୁଉଁଛି ବିନ୍ଦୁକୁ
ବିଜ୍ଞାନ ପାଉଛି ପ୍ରତିଫଳନ ଓ
ପ୍ରତିସରଣ ସୂତ୍ରକୁ।
କିଏ ବା କହୁଛି ସୌରଜଗତର
ଅଟେ କି ଏ ପ୍ରତିରୂପ
କେ କହେ ଦୌଡର ପଦଚିହ୍ନ ପାଇଁ
ଚିହ୍ନିତ ଲେଖା ସ୍ୱରୂପ।
ଲାଗୁଛି ବିନ୍ଦୁଟି ଦର୍ପଣେ ଦେଖୁଛି
ତାହାର ବିଚିତ୍ର ରୂପ
ଛାୟାଚିତ୍ର ମଧ୍ୟେ ସଳଖ ଲାଗୁଛି
ଜ୍ୟାମିତି ମାନକ ମାପ।
ଜୀବନ ସମୁଦ୍ରେ ବାଧା ଢେଲା ହୋଇ
ଯେବେ ଗଢେ ସଜକ୍ରିୟା
ହସ ଓ ଲୁହର ପଟ୍ଟଚିତ୍ର ଦିଶେ
ତୋଫା ଦେଇ ପ୍ରତିକ୍ରିୟା।
ଧୈର୍ଯ୍ୟ କେନ୍ଦ୍ରବିନ୍ଦୁ ଦୁଃଖର ବ୍ୟସାର୍ଦ୍ଧେ
ଆଙ୍କିଲେ ସୁଖର ବୃତ୍ତ
ଉତ୍ଥାନ ପତନ ମାଧୁର୍ଯ୍ୟ ଭରିବ
ଭଉଁରୀ ସାଜିବ ମିତ୍ର।