ମାଛ ତରକାରି
ମାଛ ତରକାରି
ଧିରେ ମତ୍ସ୍ୟଗନ୍ଧା..,
ମାଛ କାତି, ମତ୍ସ୍ୟଗନ୍ଧ, ବରଫାବୃତ ମାଛର ରକ୍ତ ଛିଟା ଝଲସି ପାରେ ତୁମ ଆଖିରେ,
ମୁଁ ଅନାୟାସେ ସାଜି ପାରେ ସୁଧାର ମାଛଟିଏ
ଚିରି ହେବାକୁ
ତୁମ ଦୁଇ ଆଖି ଧାରୁଆ ପନିକିରେ..!!
ମାନୁଛି ଏ ଦେହ ମତ୍ସ୍ୟଜୀବୀ
ମତ୍ସ୍ୟଗନ୍ଧ ଟାଣିଧରେ
କେବେ ଦରିଆ ମଝିରେ, କେବେ ତତଲା ବାଲିରେ
ଏକା ମୁଁ ନୁହେଁ ମୋ ପରି ଅନେକ
ସମୁଦ୍ର ପହଁରାଳି ମାଛ ଏବେ ଶାର୍କ ଶୀକାରରେ ,
ବିଧର୍ମ କିଛି ନୁହେଁ ମ
ଧର୍ମ ସେତିକି , ଯେତିକି ବଡମାଛ ଛୋଟମାଛଟିଏ ଖୁସିରେ ଖାଇପାରେ..!!
ଦ୍ୱନ୍ଦ୍ୱ...!? ଖାଲି ଧୁଆଁଳିଆ ମିଛ ମତ୍ସ୍ୟଗନ୍ଧା ,
ମୃତ୍ୟୁ ଦ୍ୱାରଦେଶରେ ଆମେ ଦୁହେଁ
ଆମେ ହିଁ ବର୍ତ୍ତମାନ କାଳ ସତ୍ୟ ,
ବିଚାର କର କିଏ ଶିକାର କିଏ ଶିକାରୀ
ବିଷ ଅବା ହସ ଫିଙ୍ଗି କିଏ କେଉଁ ଅସ୍ତ୍ରାଘାତେ ପାରୁଛନ୍ତି ଚିରି..!?
ହେଲେ ଜାଣିରଖ ମୁଁ ଜିଅନ୍ତା ମାଛଟେ..!
କେ' ଧରିଲା କେ' ଚିରିଲା ଫରକ୍ ପଡେନା ମୋତେ
ରାନ୍ଧୁଛ ଯେବେ ରାନ୍ଧିନିଅ ସୁସ୍ୱାଦୁ ବ୍ୟଞ୍ଜନଟେ କରି..!!
କିନ୍ତୁ ମନେରଖ
ମାଛଧରାଳି-ମାଛବାଲି-ରୋଷେୟା ମୁଖ୍ୟ ଚରିତ୍ର
ତାଙ୍କ ହାତ ଖୁବ୍ ସୂକ୍ଷ୍ମ ଅଥଚ ତୀକ୍ଷ୍ଣ
ଭାଗ୍ୟକୁ ସେ ଚିରିପାରନ୍ତି ମଲାମାଛ ପରି
ଆମେ ତ ନିମିତ୍ତ ମାତ୍ର
ତାଙ୍କ ଇଚ୍ଛାର ରୋଷଘରେ ରନ୍ଧା ତରକାରି
ତାଙ୍କ ଇଚ୍ଛାରେ ଲୁଣିଆ ପୁଣି ତାଙ୍କ ଇଛାରେ ସ୍ୱାଦିଷ୍ଟ ଭାରି..!!