STORYMIRROR

T.Durga Prasad Rao

Others

5.0  

T.Durga Prasad Rao

Others

ମାଆ ସେ ମହୀୟସୀ

ମାଆ ସେ ମହୀୟସୀ

1 min
256


ମାଆ ସେ ମହୀୟସୀ


ଅଧରୁ ଅମାପ ଝରଇ ସ୍ନେହ ପିୟୁସ ଝର

ଅମ୍ଳାନ ଅନିନ୍ଦ୍ୟ ବଦନେ ନିତ୍ୟ ହସର ଧାର


ଅଳି ଅଝଟରେ ନ ହୋଏ ମୁଖ ରେଖା କୁଞ୍ଚିତ

ଅତିବ ଅମିୟ ଲାଗେଟି ତାର ଅଭୟ ହସ୍ତ


ଆବିଳତାହୀନ ଆଦର ଯାର ହୃଦ ସ୍ପନ୍ଦନ

ଆପଣାପଣରେ ଆପ୍ଳୁତ ସଦା ବେନି ନୟନ


ଆରକ୍ତ ଆରତ ଆଭାସେ ସାବଧାନ ହୁଅଇ

ଆଶିଷ ଆୟୁଧେ ତାରଇ ତାର ପଣତ ଛାଇ


କପଟ କଠୋରେ କରଇ ଥରେ ଥରେ ଆକଟ

କାରୁଣିକ କରେ ଉଠାଇ କ୍ଷୀଣ ନିମିତ୍ତ ଛାଟ


କଷଣ କଲ୍ଲୋଳେ ହୃଦୟ ଯଦି ହୁଏ ଅସ୍ଥିର

କୋଟିଏ କବଚ ପାଲଟେ ତାର ଆଶିଷ ଧାର


ଗଗନ ଶୁଭ୍ରାଂଶୁ ସଦୃଶ ମଣେ ଆତ୍ମଜ ଜନେ

ଗଳାରତ୍ନ କରି ଗରବେ ପାଳେ ଅତି ଯତନେ


ଗରୁମୟ ହୁଏ ଭାବନା କିଞ୍ଚିତ ଅହିତେ

ଗରୁଡ଼ ସମ ସେ ଗରଜେ ଅହିରୂପୀ ରିପୁତେ


ଚଳନ୍ତି ଦେବତା ପ୍ରତିମା ସଦା ଚଳ ଚଞ୍ଚଳ

ଚାକ୍ଷୁଷେ ହେଜିଲେ ଆନ ଯେ ପ୍ରଭୁ, କି ଦରକାର


ଚତୁର୍ଭୁଜେ ନିତି ତିଆରେ ଯେତେ ସୁଖୀ ବ୍ୟଞ୍ଜନ

ଚତୁରତାରେ ସେ ଭୁଞ୍ଜାଏ ସତେ ଦିବ୍ୟ ଭୋଜନ


ଜଠରଜ୍ୱାଳାକୁ ଜାଣେ ଯେ ମାଆ ସେ ମହୀୟସୀ

ଜଗଦୀଶେ ପରେ ବନ୍ଦିବା ଆଗ ମାଆର ସ୍ତୁତି


ଜରା ଓ ମୃତ୍ୟୁର ପୂରବୁ ବୁଝି ନିଅ ସୁଜନ

ଜଗତ ଜିଣିବ ରଖିଲେ ଆଗ ମାଆର ମାନ


ଟି.ଦୁର୍ଗା ପ୍ରସାଦ ରାଓ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍