ମାଆ ସବୁବେଳେ ସାହା
ମାଆ ସବୁବେଳେ ସାହା


ମାଆ ଡାକେ ଯେଉଁ ଆତ୍ମତୃପ୍ତି ମିଳେ
ବୋଉ ଓଡିଆ ସଂସ୍କାର,
ମମ୍ କିମ୍ବା ମମି ପାଶ୍ଚାତ୍ୟ ସଭ୍ୟତା
ଆମେ କରୁ ବ୍ୟବହାର,
ମନରେ କି ଶାନ୍ତି ମିଳେ ?
ଯେଉଁ ଡାକେ ଡାକ ମାଆର ମମତା
ସ୍ଵତଃଫୁର୍ତ୍ତ ସବୁବେଳେ ।
ବୁଝେନା ସେ କେବେ କେଉଁ ଭାଷା ତୁମେ
କରୁଛ ତାଙ୍କୁ ପ୍ରୟୋଗ,
ମାଆ ବୋଲି ନିଜେ ପ୍ରତିଷ୍ଠିତା ଜାଣେ
ଏହା ମାଆର ସ୍ୱଭାବ,
ବାତ୍ସଲ୍ୟ ମମତା ଜାଗେ,
କୋଳେଇନେଇ ସେ ମୁଣ୍ଡକୁ ଆଉଁସେ
ସ୍ନେହବୋଳା ଅନୁରାଗେ ।
କିଛି ବୁଝେନାହିଁ ମମତାକୁ ନେଇ
ସନ୍ତାନ ଶରଣ ଗଲେ,
ଯେତେ ଝଡଝଞ୍ଜା ଆସିଥାଉ ପଛେ
ପଣତକାନିର ତଳେ,
କରିଥାଏ ଆବରଣ,
ସବୁ ମିଛ ଏକା ତା' ସନ୍ତାନ ସତ
କାଳେ କାଳେ ଏ ପ୍ରମାଣ ।
ବୁଝି କି ଅବୁଝା ହୋଇଲେ ସନ୍ତାନ
ନ ଛାଡିପାରେ ସେ ମୋହ,
କହି ପାରେନାହିଁ ସହି ପାରେନାହିଁ
ଅନ୍ତରୁ ଉଠଇ କୋହ,
ଛୁପି ଛୁପି କାନ୍ଦେ ବସି,
ତେବେ ବି ମଙ୍ଗଳ କାମନା ତାହାର
ସନ୍ତାନ ଖୁସିରେ ଖୁସି ।