ମାଆ ଓ ମମତା
ମାଆ ଓ ମମତା
ଆହା କି ମଧୁର ସ୍ନେହ ସୁଶୀତଳ
ଅଟଇ ମାଆର କୋଳ
ଝରଇ ଯହିଁରୁ ଅନାବିଳ ଚାରୁ
ସୁଧାମୟୀ ଝର ଚିର ॥
ଆଦର ଆଶ୍ଳେଷ ଉପଦେଶାମୃତ
ବିତରଣେ ସଦା ରତ
ବିପଦେ ଆପଦେ ପୀଡା ଓ କଷ୍ଟରେ
ସେବଇ ଯିଏ ସତତ ॥
ବହୁ ଦୁଃଖ ସହି ଆପେ ଖୁସି ରହି
ଦେଖାଏ ଯିଏ ଆଲୋକ
ମାଆ ମାନେ କେତେ ଶିଶୁ ଲାଗି ସତେ
ସହନ୍ତି ଯନ୍ତ୍ରଣା ଦୁଃଖ ॥
ରହି ଅନାହାରେ ଭୁଞ୍ଜାନ୍ତି ପିଲାରେ
ଶିଶୁ ଲାଗି କେତେ କ୍ଳେଶ
ସହି ଯାନ୍ତି ନିତି ଚାପି ଦୁଃଖ କ୍ଷତି
ମୁଖେ ଉକୁଟାଇ ହାସ ॥
ମଧୁର ସାନ୍ତ୍ୱନା ପ୍ରାଣେ ଆଶ୍ୱାସନା
ମାଆ ହିଁ ଦିଏ ପିଲାକୁ
ଅତି ଅସହାୟ ଶିଶୁ କାଳେ କ୍ଷୀର
ଖୁଆଏ ଯାହାର ବୁକୁ ॥
ବଡ ହେବା ଯାଏ ମାଆ କୋଳେ ଖେଳି
ଅଜ୍ଞାନରେ କେତେ ପୀଡା
ଦେଲେ ବି ସବୁକୁ ସହି ସହି ସିଏ
ଶିଶୁକୁ କରାଏ ଛିଡା ॥
ସାହଶ ଶକତି ସୁଶିକ୍ଷା ଜାଗୃତି
ଦିଏ ପିଲା ମନେ ନିତି
ସେହି ହିଁ ଜନନୀ ଗରଭ ଧାରିଣୀ
ମମତା ରେ ଭରା ନିତି ॥
ଆଦର ଓ ସ୍ନେହ ଲଭି ତା'ର ସଦା
ଆନନ୍ଦିତ ଶିଶୁ ମନ
ମମତାମୟୀ ସେ ମାଆ ତା' ଆଶିଷେ
ଶିଶୁ ହୋଇ ଥାଏ ଧନ୍ୟ ॥
