ମାଆ ମୋ ପ୍ରେରଣାଦାତ୍ରୀ
ମାଆ ମୋ ପ୍ରେରଣାଦାତ୍ରୀ
ନଅ ବୟସରୁ ରୁଚି ହେଲା ମୋର
ସାହିତ୍ୟ ସାଧନା ପ୍ରତି ,
ବାରବାର ମୋତେ ଉତ୍ସାହିତ କଲେ
ମାଆ ମୋ ପ୍ରେରଣାଦାତ୍ରୀ।
ଲେଖିବାକୁ ତେଣୁ ଚେଷ୍ଟା କରି ମୁହିଁ
ସାରିଲି କାଗଜ-ସ୍ୟାହି ,
କିଛି ଦିନପରେ ସଫଳ ହୋଇଲି
ହେଉ ପଛେ ଯାହିତାହି ।
ଗଦ୍ୟରୁ ଆରମ୍ଭ କରୁକରୁ ଲେଖା
ପଦ୍ୟକୁ ଲେଖିଲି ପୁଣି ,
ଗପ ,ଗୀତ ସହ ପ୍ରବନ୍ଧ ,ଜୀବନୀ
ଖୁସିହେଲେ ପିଲେ ଶୁଣି ।
ଆକାଶବାଣୀ ଓ ପତ୍ରପତ୍ରିକାକୁ
ପଠାଇବା ଲାଗି ଲେଖା ,
ବାପା ଆଣିଦେଲେ ଡାକଘରୁ ପରା
ଖାମ,ଟିକେଟ,ଲଫାପା ।
ଲେଖା ମୋର ଯେବେ ପ୍ରଚାରିତ
ଆଉ ପ୍ରକାଶିତ ହେଲା କିଛି ,
ମାଆ ମୋ ଖୁସିରେ ମତଟି ରଖିଲେ
ଝିଅ ଲେଖିକା ହୋଇଛି ।
ଆତ୍ମୀୟସ୍ୱଜନ ଦେଖାହେଲେ ଯେବେ
ମୋ କଥା କହିଲେ ମାଆ ,
ଝିଅ ଲେଖା ଏବେ ରେଡ଼ିଓରେ ବାଜେ
କହୁଛି ତା' ନାଆଁ-ଗାଆଁ ।
ଶୈଶବ କାଳରୁ ହାତଧରି ମାଆ
ପଢ଼ାଉଥିଲେ ତ ପାଠ ,
ଗପ ଗୀତ କହି ଶିକ୍ଷା ଦେଉଥିଲେ
ହେବାକୁ ଉତ୍ତମ ଚାଟ ।
ମଧୁ ,ଗୋପବନ୍ଧୁ, ଲକ୍ଷ୍ମୀବାଇ କଥା
ଶୁଣିଥିଲି ତାଙ୍କଠାରୁ ,
ଆଉ କିଛି ଜ୍ଞାନ ଅର୍ଜନ କରିଲି
ପତ୍ରିକା ଓ ପୁସ୍ତକରୁ ।
ସବୁଠୁ ଅଧିକ ପ୍ରେରଣାଟି ଦେଲେ
ଲେଖିବାକୁ ମୋତେ ମାଆ ,
ଗୋଟେ ପରେ ଗୋଟେ ଲେଖା ମୁଁ ରଚିଲି
ତା' ପରେ ଛାଆଁକୁ-ଛାଆଁ ।
ଆଜି ମୁହିଁ ଜଣେ ସଫଳ ଲେଖିକା
ପାଠକ ଦିଅନ୍ତି ମତ ,
ଲେଖିବାକୁ କିନ୍ତୁ ପ୍ରଥମେ ମୋ ମାଆ
କରିଥିଲେ ଉତ୍ସାହିତ ।
