STORYMIRROR

Prasant Kumar Nath

Others Tragedy

3  

Prasant Kumar Nath

Others Tragedy

ମାଆ କାହାର

ମାଆ କାହାର

2 mins
27.2K


ଦୁଇ ଗୋଟି ପୁଅ ଜନ୍ମ କଲା ମାଆ

କେତେ ଦୁଃଖ କଷ୍ଟ ସହି

ସବୁ ଦୁଃଖ ପୁଣି ଭୁଲି ଯାଉଥିଲା

ସେମାନଙ୍କ ମୁହଁ ଚାହିଁ ।


ଇଏ କହୁଥିଲା ମୋହର ମାଆଟା

ସିଏ କୁହେ ମାଆ ମୋର

ମାଆ ପାଇଁ ପରା ସମସ୍ତେ ସମାନ

ନଥାଏ ବାଛ ବିଚାର ।


ସେମାନଙ୍କ ମଧ୍ୟେ ଅନେକ ସମୟେ

ଲାଗି ରହୁଥିଲା କଳି

ମାଆ ପାଇଁ ପରା ଦୁଇ ଭାଇ ମିଶି

ଖାଉଥିଲେ ମାଡ଼ ଗାଳି ।


ଦୁଇ ଭାଇ ଯାକ ବଡ଼ ହୋଇଗଲେ

କରିଲେବି ରୋଜଗାର

ବାହା ସାହା ହୋଇ ଗଢିଲେ ସେମାନେ

ନିଜ ନିଜ ପରିବାର ।


ଭାଇ ଭାଇ ମଧ୍ୟେ ଆଜିବି ସେମିତି

ଲାଗି ରହି ଅଛି କଳି

ହେଲେ ସେହି କଳି ଟିକିଏ ଅଲଗା

ନାହିଁ ଆଉ ଆଗ ଭଳି ।


ଛୋଟବେଳ କଳି ସେମାନଙ୍କ ଥିଲା

ଭଲପାଇବାରେ ବନ୍ଧା

ଆଜି କଳି ହୁଏ ଘୃଣା ବିତୃଷ୍ଣାରେ

ସ୍ୱାର୍ଥରେ ହୋଇଣ ଛନ୍ଦା


ମୋର ମାଆ ବୋଲି କଳି କରୁଥିଲେ

ଆଜି କଳି ତୋର ବୋଲି

ମାଆର ସେନେହ ମମତାର ମୂଲ୍ୟ

ତାଙ୍କ ପାଇଁ ଚୋରା ବାଲି ।


ତୋତେ ବେଶି ଭଲ ପାଉଥିଲା ମାଆ

ରଖିବୁ ପାଖରେ ନେଇ

ମୋ ପାଇଁ ମାଆର ଅବଦାନ ନାହିଁ

ରଖିବି କାହିଁକି ମୁହିଁ ।


ଅନ୍ୟ ଜଣ କୁହେ ତୋତେ ସେ ଗେହ୍ଲେଇ

ଡାକୁଥିଲା ସୁନା ବୋଲି

ମୋତେ ବେଶି ଭଲ ପାଉଥିଲା ବୋଲି

କହନା ମିଛରେ ଖାଲି ।


ମୋ ଘରେ ରହିଲେ ପିଲା ଛୁଆ ମୋର

କେମିତି ପଢିବେ ପାଠ

ମାଆକୁ ନେଇ ତୋ ପାଖରେ ରଖିବୁ

ଦେଖା ନାହିଁ ଏତେ ନାଟ ।


ଖେଏଁ ଖେଏଁ ହୋଇ ନିତି ସେ କାଶୁଛି

ପଢି ପାରିବେନି ପିଲା

କାହିଁକି ମାଆକୁ ପାଖକୁ ମୋ ନେଇ

କରିବି ସେଠି ଝାମେଲା ।


ଏହି କଥା ଶୁଣି ବଡ଼ପୁଅ ତାର

ସାନକୁ ବୁଝେଇ କୁହେ

କେମିତି କରିବି ସେବା ଯତ୍ନ ତାର

ଯଦି ମୋ ପାଖରେ ରୁହେ ।


ତୁ କଣ ଜାଣିନୁ ଭାଉଜ ତୋହର

ଅଟେ ଗୋଟେ ନାରୀ ନେତ୍ରୀ

ସେପାଇଁ ଘରକୁ ନିତି ଆସୁଥାନ୍ତି

କେତେ ନେତା ଆଉ ମନ୍ତ୍ରୀ ।


ସେଠାରେ କେମିତି ମାଆକୁ ରଖିବି

ବେମାରିଆ ତାର ଦେହ

ସେମାନେ ଦେଖିକି କଅଣ ଭାବିବେ

ତୁ ନିଜେ ଭାବିକି କହ ।


କେତେ କଳି ଆଉ ଝଗଡ଼ାର ପରେ

ପାଳିତ କରନ୍ତି ସେହି

ୟାପାଖେ ପନ୍ଦର ତାପାଖେ ପନ୍ଦର

ରଖନ୍ତି ପାଖରେ ନେଇ ।


ଏକତିରିସୀ ଦିନ ମାସ ଆସିଲେ

ଚିନ୍ତାଟା ବୁଢ଼ୀକୁ ଖାଏ

କେତେ ଦୁଃଖ ଆଉ କଷ୍ଟ ସିଏ ସହି

ଉପାସ ଭୋକରେ ରୁହେ ।

*******

ପ୍ରଶାନ୍ତ କୁମାର ନାଥ

ସୁନ୍ଦରପୁର, ଉତ୍ତରକୂଳ ହାଟ୍,ପ୍ରୀତିପୁର,ଯାଜପୁର

ମୋ-୦୮୮୯୨୩୦୧୧୪୩


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍