ମାଆ ଭଗବତୀ ଚଉତିଶା
ମାଆ ଭଗବତୀ ଚଉତିଶା
କେରା ଠାକୁରାଣୀ ମାଆ ଗୋ !
ତୁମେ ଜଗକଲ୍ୟାଣୀ ,
କାହିଁ ଅଛ ତୁମେ ମାଆ ଗୋ
ମୁହିଁ ଡାକୁଛି ପୁଣି ।
ଖଙ୍ଗରେ ରହିଛି ମାଆ ଗୋ
ଖଙ୍ଗାଳୁଛି ମୁଁ ଆଶା,
ଖଣ୍ଡାରେ ଖଣ୍ଡିତ ମାଆ ଗୋ
ଖଣ୍ଡ ନାହିଁ ମୋ ପେଶା।
ଗଉରୀ ନାମଟି ତୁମର
ଏହି ମହୀ ବିକ୍ଷାତ
ଗିରି ହିମାଳୟେ ଶୋଭିତା
ବାବା ସାଥେ ତୁମେତ ।
ଘଡ଼ି ଘଡିକରେ ବାଜଇ
ଘଣ୍ଟା ଧ୍ୱନି ତୁମର ,
ଘନରବ ଧ୍ଵନି କମ୍ପଇ
କେବେ ମାଆ ମନ୍ଦିର।
ଉ°ଇଲେ ସୂରୁଜ ଆକାଶେ
ଉଠେ ମନର ଜ୍ଵାର
ଉଙ୍କି ମାରେ ମୋର ମନଟି
ପୂଜା ପାଇଁ ଏଥର ।
ଚହଳ ପଡ଼ିଛି ସଂସାରେ
ମାଆ ତୁମରି ଡାକ
ଚଉସମ ଗନ୍ଧ ପରିକା
ବ୍ୟାପେ ସଂସାର ଯାକ।
ଛଳନା କପଟ ନାହିଁ ମୋ
ଛାର ମଣିଷ ଜଣେ
ଛବି ମୁଁ ଆଙ୍କିଛି ତୁମରି
ମୋର ହୃଦୟ କୋଣେ।
ଜୟ ଜୟ ମାଆ ତାରିଣୀ
ଜୟ ଦୁଃଖ ନାଶିନୀ
ଜୟ ମାଆ ପାଉଡିୀ ତୁମେ ହିଁ
ସର୍ବ ନାମ ଧାରିଣୀ।
ଝଡ଼ି ଝଡ଼ି ଯାଏ ଜୀବନ
ଝରେ ଆଖିରୁ ଲୁହ
ଝଡ଼ ଝଞ୍ଜା ଯେତେ ଜୀବନେ
କେତେ ସହିବି କୁହ ?
ନିଜର ବୋଲି ମୁଁ ଯାହାକୁ
ଭାବେ ସେ ସାତପର ,
ନଜର ଉପେକ୍ଷା କରି ସେ
ହୁଏ ସ୍ୱାର୍ଥପର। ।
ଟଙ୍କା ଟଙ୍କା ହୋଇ ମଣିଷ
ବହେ ପାପର ଭାର
ଟିକକ କଥାରେ ଭୁଲେ ସେ
ଆଧ୍ୟାତ୍ମିକର ସାର ।
ଠିକେ ମୁଁ କହୁଛି ଶୁଣ ହେ
ଭକତ - ସୁଧିଜନେ
ଠକି ଚାଲିଛି ଏ ସଂସାର
ଠକ ମିଛୁଆ ବନେ।
ଡାକି ଚାଲେ ମନ ତୁମକୁ
ଡୋରି ବନ୍ଧା ଏ ବେଳେ ,
ଡାକରେ ରହିଛି ବେଦନା
ଭିଜେ ଆଖିର ଜଳେ।
ଢୋଲଟା ଯେସନେ ବାଜଇ
ଚଉଦିଗ କମ୍ପଇ ,
ଢୋଲର ତାଳରେ ମାଆ ଗୋ
ତୁମ ନାମ ହୁଅଇ ।
ଏଡାଇ ଦିଅନା ମାଆ ଗୋ
ମୋର ଯାଚନା ଭାବ ,
ଆସିଅଛି ଏହି ମର୍ତ୍ତ୍ୟକୁ
ଦିନେ ଯିବାକୁ ହବ।
ତୁମରି ଆଶିଷେ ମାଆ ଗୋ
ଏଇ ଧରା ବଞ୍ଚିଛି ,
ତର ତର ହୋଇ ମଣିଷ
ସବୁ ଭୁଲି ଯାଉଛି।
ଥୟ ହେଉ ନାହିଁ ମନଟା
ଥିର ରହିବା ପାଇଁ
ଥରଥରି ଏହି ଜୀବନ
ଘୋରି ହୋଇ ସରଇ ।
ଦିନେ ଥିଲା ଏହି ଅଞ୍ଚଳ
ଘନ ବନରେ ପୂର୍ଣ୍ଣ ,
ଦରଶନ ପାଇ ତୁମର
ଲୋକ ହୋଇଲେ ଧନ୍ୟ।
ଧନ୍ୟ ଧନ୍ୟ ମାଆ ପାଉଡୀ
ଧନ୍ୟ ବ୍ୟାଘ୍ର ବାହିନୀ ,
ଧର୍ମ ଅଧର୍ମକୁ ଦେଖୁଛ
ଧନ୍ୟ ସିଂହ ବାହିନୀ ।
ନଇଁ ମୁଁ ବନ୍ଦନା କରେ ମାଁ
ନିତ୍ୟ ମନ୍ଦିର ଆସି ,
ନବୀନ ପ୍ରଭାତ କିରଣେ
ପୂଜା କରେ ମୁଁ ବସି।
ପୂଜକ ରୂପରେ ତୁମର
ପୁଣି ଜନମ ଦେବ ,
ପୂଜା କରି ସବୁ ଜନମେ
ମନ ସାର୍ଥକ ହେବ।
ଫଳ ଦିନେ ନିଶ୍ଚେ ପାଇବି
ତୁମ ନାମ ଜପିଲେ ,
ଫୁଲ ତୋଳି ପୂଜା କରୁଛି
ନିତି ସଞ୍ଜ ସକାଳେ।
ବିପଦ ଆପଦ ପଡିଲେ
ମାଆ ରକ୍ଷା କରୁଛ ,
ବିକଳେ ଡାକିଲେ ତୁମକୁ
ସତେ ଉଭା ହଉଛ ।
ଭଗବତୀ ମାଆ ତୁମେ ତ
ଭାଗ୍ୟ ତୁମେ ଲେଖୁଛ ,
ଭକତ ଯେ ଭଜେ ତୁମକୁ
ଭବ ପାରି କରୁଛ।
ମହାମାୟା ତୁମେ ଜଗତେ
ମହୀ ରକ୍ଷା କାରିଣୀ ,
ମୋହ ମାୟା ଏହି ସଂସାର
ମଣିଷ ହୁଏ ଋଣୀ ।
ଯାତରା ହେଉଛି ଜୀବନ
ଯାହା ଦିନେ ସରିବ
ଯମଦେବ ନିଶ୍ଚେ ଡାକିବେ
ଯାତ୍ରା ଶେଷ ହିଁ ହବ ।
ରଙ୍ଗ ରଙ୍ଗୋଲିର ସଂସାର
ରଙ୍ଗମଞ୍ଚ ସାଜିଛି ,
ରୂପକୁ ସଜେଇ ମଣିଷ
ଅଭିନୟ କରୁଛି ।
ଲୋଭ ମୋହମାୟା ଭିତରେ
ଈର୍ଷ୍ୟା ବାସ କରିଛି ,
ଲୋଭ ଲାଳସାରେ ଜୀବନ
ନିଶ୍ଚେଁ ଘାଣ୍ଟି ହଉଛି ।
ଵିରଞ୍ଚି ସୃଷ୍ଟିରେ ଜଗତ
ବିରଚିତ ହୋଇଛି ,
ବିନାଶ ପଥରେ ମଣିଷ
ବେଳ ଟାଣି ଆଣୁଛି।
ଶକ୍ତି ପ୍ରଦାୟିନୀ ତୁମେ ମାଆ
ଦିଅ ଶକତି ବଳ ,
ଶକତିପୂଜକ ରୂପରେ
ଦିଅ କରମଫଳ ।
ଷୋହଳ କଳାରେ ସମ୍ପୂର୍ଣ୍ଣ
ବୋଲି ଗାଉନି ମନ ,
ଷଡ଼ଦର୍ଶନ କି ଜାଣଇ
ଷଡ଼ଙ୍ଗକୁ ଅଜ୍ଞାନ ।
ସତ୍ୟ ବଚନ ମୁଁ କହୁଛି
ସୁଧିଜନେ ଏ ଶୁଣ ,
ସରି ସରି ଯାଏ ଜୀବନ
ତେଣୁ ଭାବେ ଗାୟନ ।
ହତାଶା ନିରାଶା ମାଆ ଗୋ
ହିଂସା ଜାବୁଡ଼ି ଅଛି ,
ହୀନ କପାଳିଆ ହୋଇ ଗୋ
ବାଟ କାହିଁ ପାଉଛି ?
କ୍ଷେମ ରାଜୀବକୁ ମାଆ ଗୋ
ଯାଉଅଛି ଶରଣେ ,
କ୍ଷୋଭ ଦୂର କରୁଥିବ ଗୋ
କ୍ଷୁଦ୍ର କବି ମୁଁ ଜଣେ ।