ମା
ମା
ରୋଷେଇ ଘର ଭିତରୁ
କଂସା ବାସନର ଶଦ୍ଦ ବହୁତ ରାତି ପର୍ଯ୍ୟନ୍ତ ଶୁଭୁଥିଲା ।
ନଳରେ ବି ପାଣି ଚାଲୁଥିଲା,
ମା' ଏବେ ବି ରୋଷେଇ ଘରେ...
ତିନି ବୋହୁ ଅନେକ ବେଳ
ନିଜ ନିଜ ଶୟନ କକ୍ଷରେ ଶୋଇ ସାରିଲେଣି ।
ମା' ଏବେ ବି ରୋଷେଇ ଘରେ...
ମା'ର ଆହୁରି କାମ ବାକି ଅଛି ।
କିନ୍ତୁ କାମ ତ ସମସ୍ତଙ୍କର
କିନ୍ତୁ ମା' ସମସ୍ତଙ୍କର କାମକୁ ନିଜ କାମ ଭାବି କରିଦିଏ ।
ମା' କ୍ଷୀର ଗରମ କଲା, ପୁଣି ଥଣ୍ଡା କଲା ,
ରାତିରେ ମାଟି ହାଣ୍ଡି ରେ କ୍ଷୀର ରଖି ମହି ପକାଇଲେ
ସକାଳୁ ପିଲାମାନେ ସଜ ଦହି ଖାଇବେ ।
ବାସନ କୁସନ ସଜାଡି ନ ରଖିଲେ
ସକାଳୁ ବୋହୁମାନେ ହଇରାଣ ହେବେ ।
କଂସା ବାସନର ଶଦ୍ଦରେ ପୁଅବୋହୁଙ୍କୁ ନିଦ ହେଉନି ।
ବଡବୋହୁ ବଡପୁଅକୁ କହୁଛି
ତୁମ ମା ଙ୍କୁ ନିଦ ଆସୁନି କି ?
ନା ନିଜେ ଶୋଉଛନ୍ତି ନା କାହାକୁ ଶୋଇବାକୁ ଦେଉଛନ୍ତି ।
ମଝିଆଁ ବୋହୁ ମଝିଆ ପୁଅକୁ କହୁଛି , ଓଃ କି ଶବ୍ଦ!
ପୁଣି ଦେଖିବ ସକାଳ ଚାରିଟାରୁ ଉଠି
ଖଡର ଖାଡରର ଆରମ୍ଭ କରିଦେବେ,
ତୁମ ମା' ଶାନ୍ତିରେ ଟିକେ ରହିବାକୁ ଦେବେନି ।
ସାନବୋହୁ ସାନପୁଅକୁ କହିଲା ଯାଅ ନା
ରାତିରେ ତୁମ ମା ଯେଉଁ ପାଲା କରୁଛନ୍ତି
ତାକୁ ବନ୍ଦ କରିବ । ଖୁବ୍ ନିଦ ଲାଗୁଛି ।
ଏବେ ମା ସମସ୍ତ ବାସନକୁସନ
ମାଜି ମୁଜି ରଖି ସାରିଲାଣି ।
ବସି ବସି ତା' ଅଣ୍ଟା ନଇଁଗଲାଣି ।
ହାତ ପାପୁଲି ପୁରା କଠିନ
ଆଣ୍ଠୁଗଣ୍ଠି ସବୁବେଳେ ଧରୁଛି ।
ଆଖି ଜାଲଜାଲୁଆ ଦିଶୁଛି
ଗରମ କ୍ଷୀରର ଡେକ୍ ଚି କୁ
ଆଜି ବି ସେ ନିଜ ଶାଢୀ କାନିରେ ଧରି
ଚୁଲ୍ଲୀରୁ ଉଠାଇ ପାରୁଛି ,
କିନ୍ତୁ ତା'ର ହାତ ସିଝି ଯାଏନାହିଁ ।
କାହିଁକି ନା ସେ ମା ।
କ୍ଷୀର ଥଣ୍ଡା ହୋଇ ସାରିଲାଣି ।
କ୍ଷୀର ସର ଦହି ପଡି ସାରିଲାଣି ।
ଘଣ୍ଟାର କଣ୍ଟା ଥକି ଗଲେଣି , ମା' ଥକିନି
କିନ୍ତୁ ମା' ର ଆଖି କୁ ନିଦ ଆସୁନାହିଁ ।
କାହିଁକି ନା ସେ ମା' ।
ରାତି ବାରଟାରେ ମା' ର ସକାଳ ପାଇଁ ପରିବା କଟା ସରିଗଲା ।
ହଠାତ୍ ମନେ ପଡିଲା ମେଡିସିନ୍ ଖାଇନାହିଁ,
ବିଛଣାର ତକିଆ ତଳେ ରଖା
ଯାଇଥିବା ପଲିଥିନ୍ ରୁ ଔଷଧ ଖୋଲିଲା ।
ବାହାରକୁ ଆସି ଜହ୍ନ ଆଲୁଅରେ
ରଙ୍ଗ ଦେଖି ମେଡିସିନ୍ ଖାଇଲା ।
ପତିଦେବ ଶୋଇଛନ୍ତି, ଘର ଭିତର ଆଲୁଅ ଜଳେଇଲେ
ତାଙ୍କ ନିଦ ବି ଭାଙ୍ଗିଯିବ , ସେ ବିରକ୍ତ ହେବେ,
ସେଥିପାଇଁ ମା ଜହ୍ନ ଆଲୁଅରେ ମେଡିସିନ୍ ଖାଏ ।
ମେଡିସିନ୍ ଖାଇ ଗ୍ଲାସେ ପାଣି ପିଇ
ଶୋଇବା ଘରକୁ ପଶିଲା ଧୀରେ ଧୀରେ।
ବିଛଣାରେ ଘଡିଏ ଶୋଇ ସାରିଥିବା
ବାପା ପଚାରନ୍ତି କ' ଣ କାମ ସରିଲା ?
ମାଆ ଉତ୍ତର ଦିଏ ହଁ ମ ,
ଆଜି କିଛି ବିଶେଷ କାମ ନଥିଲା, ଶିଘ୍ର ସରିଗଲା ।
ସେ ବିଛଣାରେ ଗଡିପଡେ ଆସନ୍ତାକାଲିର ଚିନ୍ତାରେ ।
କିଏ ଜାଣେ ନିଦ ହୁଏ କି ନାହିଁ ?
ତଥାପି ସକାଳୁ ସକାଳୁ ସେ ଥକ୍କା ଅନୁଭବ କରେନାହିଁ ।
କାହିଁକି ନା ସେ ମା ।
ସକାଳର ଆଲାର୍ମ ପରେ ବାଜେ ।
ମାଆ'ର ନିଦ ପ୍ରଥମେ ଭାଙ୍ଗିଯାଏ ।
ମନେ ନାହିଁ କେବେ ଶୀତଦିନରେ
ସେ ଗରମ ପାଣିରେ ଗାଧୋଇଛି କି ନାହିଁ ।
ତାକୁ ଥଣ୍ଡା କି ଶୀତ ହୁଏନି ।
କାହିଁକି ନା ସେ ମା' ।
ସେ ଖବରକାଗଜ ପଢେ ନାହିଁ,
କିନ୍ତୁ ଫାଟକ ନିକଟରୁ ଖବରକାଗଜ
ଆଣି ହଲ୍ ରେ ସଜାଇ ରଖେ ।
ସେ ଚା ପିଏନାହିଁ, କିନ୍ତୁ ସକାଳୁ ସକାଳୁ
ସମସ୍ତଙ୍କ ପାଇଁ ଚାହା ତିଆରି କରେ ।
ଶିଘ୍ର ଖାଏନାହିଁ, କିନ୍ତୁ ପିଲାମାନଙ୍କ ପାଇଁ
ସକାଳୁ ସକାଳୁ ଜଳଖିଆ ପ୍ରସ୍ତୁତ୍ କରିଦିଏ ।
କାହିଁକି ନା ସେ ମା' ,
କେବେ କେବେ ଭାବେ ମା ଉପରେ
ଲେଖିବା, କହିବା, ବର୍ଣ୍ଣନା କରିବା
ଅନୁଭବ କରିବା ଓ କରାଇବା
ନିୟମଗତ ବନ୍ଦ ହେବା ଆବଶ୍ୟକ ।
କାହିଁକି ନା ଏ ବିଷୟ ସର୍ବଦା ନିର୍ବିବାଦ ।
କାହିଁକି ନା ଯାହାକୁ ବର୍ଣ୍ଣନା କରିବା ସମ୍ଭବ ନୁହଁ,
ତାକୁ ବର୍ଣ୍ଣନା କରିବା ହାସ୍ୟାସ୍ପଦ ନୁହଁ କି ?
ମା' ଏମିତି ଏକ ସମ୍ପର୍କ ଯିଏ ପୃଥିବୀ ଠାରୁ ବି ବଡ
ଆଜି ପର୍ଯ୍ୟନ୍ତ ପୃଥିବୀରେ କେହି ବି
କଳି ପାରି ନାହାନ୍ତି ମା' ର ମହତ୍ତ୍ଵ
ମା' ବିଷୟରେ ବର୍ଣ୍ଣନା କରିବା କଣ ସମ୍ଭବପର?
ମାଆ ଉପରେ ଲେଖା ଟିଏ ଲେଖିଲେ
ସାରା ଜୀବନ ସରିଯିବ,
କିନ୍ତୁ ଲେଖା ସରିବ ନାହିଁ ।
କାହିଁକି ନା ସେ ମା'
ସେ ଏକ ଅସରନ୍ତି ଅଧ୍ୟାୟ ।।
