ମା'କୁ ପାଇଲି ନାହିଁ
ମା'କୁ ପାଇଲି ନାହିଁ
ମା ମା ବୋଲି କେତେ ମୁଁ ଖୋଜିଲି
ହେଲେ ମା'କୁ ପାଇଲି ନାହିଁ
ମା'ର ମମତା ଭୁଲି ମୁଁ ପାରୁନି
(ପ୍ରଭୁ) କେମିତି କହିବି ମୁହିଁ ।
ମାତା ଗର୍ଭଧାରୀ କେତେ କଷ୍ଟ ସହି
ମୋତେ ଦୁନିଆକୁ ଆଣିଥିଲା
ତୁ ବୁଝିଲୁ ନାହିଁ ମୋ ମା'ର ବେଦନା
ସେଦିନ ମହାପ୍ରଳୟ ଥିଲା ।
ତର୍ତୁଦିଗେ ହେଲା ଜଳମୟ ପ୍ରଭୁ
ଡାକିଲା ମୋ ମା' ରଖ ମହାବାହୁ
ପୁତ୍ରହରା ଯେବେ ହୋଇଲା ମୋ ମା'
ତା'ର ଆଖିରୁ ଝରିଲା ଲୁହ ।
ମା'କୋଳେ ଥିଲି ଏକଇ କୁମର
କାହିଁକି କଲୁ ତୁ ମୋ ମା'କୁ ପର
କି ଦୋଷ କରିଲା ମା'ଯେ ମୋହର
କରିଲୁନି ଟିକେ ତାକୁ ନିଜର ।
କନ୍ଦାଇ ମାରିଲୁ ମା'କୁ ମୋହର
ଆଖିରୁ ବୋହୁଛି ଲୋତକଧାର
ସେ ଲୋତକଧାର ଗଡିଗଡି ଆଜି
ପ୍ରଭୁ ଦୁଃଖୀକୁ କରିଛି ସାତପର ।
ମା'କୋଳ ଖାଲି କରି ତୁ କାଳିଆ
କହରେ କିଳିଆ କି ଯଶ ରଖିଲୁ
ରକ୍ଷାକର୍ତ୍ତା ତୁ ନାମ ବୋଲାଉଛୁ
ଜଗାରେ ସେଦିନ କେଉଁଠି ଥିଲୁ ।
ଯଦି ରଖିଥାନ୍ତୁ ମା'କୋଳେ ମୋତେ
ନାମ ବଢିଥାନ୍ତା ଏ ସାରା ଜଗତେ
ନରଖିଲୁ ମୋତେ ମା'ର କୋଳରେ
ମା' ମା' ବୋଲି ଡାକିଲି ଯେତେ ।
ଆଜି କହୁଛୁ ତୁ ଜଗତ ଠାକୁର
ତୋର ଗର୍ବକୁ ଦେଉ ବଢାଇ
ମହାବାତ୍ୟା ବେଳେ କେଉଁଠି ଥିଲୁତୁ
କାହାକୁ ତୁ ନେଲୁ ବାଟ କଢାଇ ।
କେତେ ପିତାମାତା କୋଳ କଲୁ ଖାଲି
ପୁଣି ପୁଛିଲୁ ମଥାରୁ କେତେ ସିନ୍ଦୂର
ଭାଇ ଭଉଣୀର ସ୍ନେହ ମମତାକୁ
କାହିଁ ଭାଙ୍ଗି ଦେଲୁ ନିଜ ହାତର ।
ଆଜି ଭୟ ଲାଗେ ନିଜ ଜୀବନକୁ
ସଙ୍ଗରେ ଧରିଛୁ ଭଉଣୀଭାଇ
ବିତିଗଲା ଆଜି କୋଡିଏ ବରଷ
କହିଲୁନି (ଥରେ) ମୋ ମା'କୁ ବୁଝାଇ ।
(ଆରେ)ପ୍ରଭୁପଣିଆ ତ ଜଣାପଡିଗଲା
କରୁଛି ଧିକ୍କାର ଆଜି ମୁଁ ତୋତେ
ନ ଡାକନ୍ତୁ କେହି ରକ୍ଷା କର ବୋଲି
ଲିଭି ଯାଉ ତୋର ନାମ ଜଗତେ
କାଳିଆ କାଳିଆ ନ ପଡୁ ଯେ ହୁରି
ନ ଲାଗୁ ତୋ ଦାଣ୍ଡେ ଭିଡଗହଳି
ତୋପରି ଠାକୁର ରହିଲେ ଜଗତେ
ମରିବେ ଭକତ ହୋଇ ମୁହାଁମୁହିଁ ।
କାନ୍ଦି କାନ୍ଦି ଆଜି ଆକୁଳେ ଚାହିଁଛି
ଦିବସ ରଜନୀ ଆଖିରେ ନେଇ
ମା' ମା' ବୋଲି କେତେ ମୁଁ ଖୋଜିଲି
ହେଲେ ମୁଁ ମା'କୁ ପାଇଲି ନାହିଁ ।
ଲେଖା-ନରେନ୍ଦ୍ର ପ୍ରସାଦ ବେହେରା, ଆଳଦା, ଖଇରା,ବାଲେଶ୍ବର,
