ମା-ଏକ ଉଦାତ୍ତ ଆହ୍ବାନ
ମା-ଏକ ଉଦାତ୍ତ ଆହ୍ବାନ
ମା"-ଏକ ସାରସ୍ବତ ଉଚ୍ଚାରଣ
ପବିତ୍ର ଶିହରଣ
ସନ୍ତାନର ସୁରକ୍ଷିତ ସ୍ଥାନ
ସମସ୍ୟାର ସମାଧାନ
ସୁଖର ସନ୍ଧାନ ।
କିନ୍ତୁ ତାର କଅଁଳ ସ୍ପର୍ଶରେ
ଅନ୍ତ ହୁଏ କେତେ ଶ୍ରାବଣ
ଦରୋଟି କଥାରେ
ଫୁଟିଉଠେ ଫଗୁଣର ଜହ୍ନ ।
ମା"-ଘର ଅଗଣାର ତୁଳସୀଟିଏ
ବିନା ବେତନ ଆଉ
ପ୍ରତିବାଦ ହୀନରେ ଖଟୁଥିବା
ଲୋଟଣୀ ପାରାଟିଏ ,
ଆରାଧନା ଅଭାବରୁ ବୟସ ତାର
ଅସମୟରେ କେତେ ଖର୍ଚ୍ଚ ହୁଏ ।
ମାତ୍ର ତାର ମମତାର ସ୍ପର୍ଶରେ
ଦାନବ ବି ଦେବତା ହୁଏ
ଉଷର ଭୂମି ବି ଉର୍ବର ହୁଏ
ଧରାର ଯେତେ କଷଣ
ନିମିଷକେ ଦୂରେଇଯାଏ ।
ମା"-ନାରୀ ନୁହେଁ ସେ ନାରାୟଣୀ
ଭବସାଗରରେ ସେ ଭବାନୀ
ସର୍ବ ଅଶିବର ସେ ଶିବାନୀ
ନୁହେଁ ସେ ଭୋଗ୍ୟା
କି ଦାନବର ବିଳାସ ଯୋଗ୍ୟା
ସମାଜର ସେ ଶ୍ରୀ ଧାରିଣୀ
ଜଗତର ସେ ଜଗଜ୍ଜନନୀ ।
ମା"-ଏ ଯୁଗର ଉଦାତ୍ତ ଆହ୍ବାନ
ପାଷାଣ୍ଡ ବିନାଶ ଲାଗି
ଏକ ଅଣଚାଶ ପବନ
ଭ୍ରଷ୍ଟାଚାରୀର ସେ
ଏକ ପ୍ରଜ୍ୱଳିତ ଶ୍ମଶାନ
କଳା ମେଘ କୋଳେ
ଏକ ଶାଶ୍ବତ ତପନ ।
ହୋଇପାରେ ସେ ଜାହ୍ନବୀ
ସାଜିପାରେ ସେ ଦାନବୀ
ଉଭା ଆଜି ଶିଳାର ଛାତିଚିରି
ବ୍ୟଭିଚାରୀଙ୍କର ସଶକ୍ତ ଅରି
ହାତେ ତାର ଶାଣିତ ଖଡ୍ଗ
ନିପାତ କରିବ ସେ
ସମାଜର ଯେତେ ସବୁ ବଇରୀ ।
