ଲୋଭ
ଲୋଭ
ଆମେ ଜାଣିଛୁ
ଅସୁର ହେଲେ ବି ଏ ମାନେ ଶିବ ଭକ୍ତ
ତା' ବୋଲି
ଏମାନଙ୍କର ଜହ୍ନି ଲଟାରେ
ଠୋ ଠା ଫୁଟୁ ନ ଥିବ ବୋଲି
କିଏ ବିଶ୍ବାସିବ
ଈର୍ଷା ଓ ଅସୂୟାର ବୋମା ।
ଫୁଲ ତ ଫୁଟେଇ ପାରିବେ ନି
ନଚେତ୍ ,
ଛିଟିକି ପଡନ୍ତେ ଏଠି
ସ୍ବର୍ଗର ଅପସରୀ ସବୁ
ଗଣି ତା'ଙ୍କ ହୃଦୟର ଦୈର୍ଘ୍ଯ ଓ ଦ୍ରାଘିମା ।
ନ ହେଲେ କାହିଁକି
ଚାହୁଁ ନ ଥିବା ସମୟମାନେ ବି
ଉତୁରି ଆସନ୍ତି ତା'ଙ୍କ ନିର୍ଧାରିତ ଦିଶାରେ ,
ପୁଣି ସେଇ ଦିଶା ଯେ
ଦଶା ପାଳଟି ନ ଯିବାରେ
ନ ଥାଏ କାହାର ହାତ ମୁଠାରେ ।
ଠିକ୍ ଯେମିତି , ଶକୁନି ମାନେ
ଅଡ଼ି ବସନ୍ତି ପ୍ରତିଶୋଧ ,
ବାହାରେ ବା ଅନ୍ତରେ
ଧୃତରାଷ୍ଟ୍ର ତ ଅଂଧ ।
ତୁଠ ତଳର ଶିଉଳୀ ପରି ,
ଏଇ ଲୋଭ ବି ଅଚିହ୍ନା ଲୋକର ଜୀବନ ଭଳି
ଭଳି କି ଭଳି ବିତାଉ ଥାଏ
ଧରି କିଛି ସୁଯୋଗର ମୁଠା ମୁଠା ମାୟା ଓ ମମତା ।
ସନ୍ତର୍ପଣରେ ଆଉଁସି ନେବା ଭଳି
ତାଙ୍କର ବାହାନା ତ ବନି ଯାଏ
ଶେଷରେ , ଲକ୍ଷ୍ଯବିଦ୍ଧ ଗର୍ଭିଣୀ ମୃଗିଣୀ ସମ
ଆତ୍ମ ସମର୍ପଣ ରେ ମନର ମଗ୍ନତା |
ତମାମ ଜୀବନର ଆକୁଳତା ଖୋଜେ
କେଇଟା ସୁଖରେ ଥମେଇ ଦେବା କୁ
ଆଉ ବଞ୍ଚି ଯିବାକୁ ସାରା ଜୀବନ
ଟିକିଏ ଆତ୍ମ ସନ୍ତୋଷର ପରମ ମୂହୁର୍ତ ,
ଚାହୁଁ ଥିବା ସମୟ ବି
ବେଳେବେଳେ ବହୁତ ଦୂରରେ
ନଚେତ୍ ,
ପ୍ରାପ୍ତ ହୁଅନ୍ତା ପରମାର୍ଥ ।
ବିକଳାଙ୍ଗ ବଡ଼ିମା ଆଉ
ଚକ୍ଷୁ ହୀନ ଚଞ୍ଚଳତା ଯଦିଓ ବୟୋଜ୍ଯୋଷ୍ଠ ,
ତଥାପି ,
ସମବେଦନାର ରାଜତ୍ବରେ
ଏ ମାନଙ୍କୁ ହୁଏ ଭାରି କଷ୍ଟ ।
ଘୋର ଅନ୍ଧତ୍ବର
ଅପତ୍ଯ ଅହଂକାର ଗୁଡିକ ପିଅନ୍ତି
ପେଟରୁ ପାଟିତକ ,
ସଦ୍ଯ ଯୌବନର ବିଭୋର ମାଦକ ।
ଅନୁତାପ ହୀନ ଯୋଜନା ଗୁଡିକ
ଭଟକି ଯା'ନ୍ତି
ଘାଟ ଆଉ ତୁଠର ପଥ ,
ସବା ଶେଷରେ
ବରି ନିଅନ୍ତି ମୁକ୍ତି ପାଇଁ ପ୍ରାୟଶ୍ଚିତ ।
