ଲକ୍ଷ୍ୟଭେଦ
ଲକ୍ଷ୍ୟଭେଦ
ମନରେ ସ୍ଵପ୍ନର ଡେଣା ଥରେ ଲାଗିଗଲେ
ଆକାଶରେ ଉଡିବାକୁ ଭାରି ଇଚ୍ଛାହୁଏ
କିଏ ବା ନ ଚାହେଁ ଉଡିବାକୁ
ଖଣ୍ଡି ଉଡା ଦେଉ ଦେଉ କେତେଥର ଯେ
ମାଟିପରେ କଚଡା ଖାଇଛି ତାର ହିସାବ ନାହିଁ
ତଥାପି ସ୍ଵପ୍ନ ମୋର ଭାଙ୍ଗିନି
ଜିଦକରା ପିଲାଟି ପରି ଗୋଡ କଚାଡେ ।
ଜୀବନର ଆଖଡାଶାଳେ ମୁଁ
ପ୍ରକୃତିର ପାଷାଣ ପ୍ରତିମା ରଖି
ଲକ୍ଷ୍ୟଭେଦ କରୁଥାଏ ସାଜି ଏକଲବ୍ୟ
ଦିବାନିଶି କରି ଏକାକାର
ଆକାଶେ ଡେଣାଝାଡି ଉଡିବାଟା
ଏତେ ସହଜ କଥା ନୁହେଁ
ଆମ ଭାଗ୍ୟ ଗୁରୁଙ୍କ କପଟତାରେ
ସବୁବେଳେ ଯେମିତି ବୃଦ୍ଧାଙ୍ଗୁଳୀ ରକ୍ତାକ୍ତ
ମରୀଚିକାମୟ ଦିଶେ ଯେମିତି ଚାରିଆଡେ ।
ହାରୁ ହାରୁ ଜିତିବାଟାର ସ୍ଵାଦ ଚାଖୀହୁଏ
ଗରମ ନିଶ୍ଵାସ ଲୁଣିଆ ଝାଳ ଆଖିର ଲୁହେ
ସମୟ ବି ଆଉଁସିଦିଏ ଅତି ସେନେହରେ
ତାର ଶୀତଳ ପବନର ପଣତରେ ।
ଲୋଡାନାହିଁ କିଛି ଆଜି ମୋର
ଧନଧାନ୍ୟ ରାଜ୍ୟ ଐଶର୍ଯ୍ୟ ବିଭବ
ମାଟିର ମଣିଷଟିଏ ମାଟି ପିଣ୍ଡୁଳା
ମିଶିଯିବି ଦିନେ ମୁଁ ଏ ମାଟିରେ ।
ହୃଦୟେ ଶରଭେଦ କରିବା କାଠିକର ପାଠ
ମୋ ଧନୁରୁ ବାହାରୁଥିବା ଅସଂଖ୍ୟ ଶର
ରକ୍ତାକ୍ତ ନ କରୁ କାହାକୁ ପ୍ରତିଦିନ
ବରଂ ପ୍ରେମର ଗୋଲାପ କଢି ସାଜି
ସ୍ଵାଗତ କରୁ ମାନବିକତାର ସଙ୍ଗୀତ
ଗାଇ ସଭିଙ୍କର ଶୋକସନ୍ତାପ ପରାଣ ।
ଦୁନିଆଁର ରଣାଙ୍ଗନେ ସଦା ପ୍ରସ୍ତୁତ ଆମେ
ଯୁଦ୍ଧର ବିଗୁଲ ବଜାଇ ପରସ୍ପର
ଧାରୁଆ ଅସ୍ତ୍ରେ କ୍ଷତବିକ୍ଷତ ରକ୍ତାକ୍ତ
ପ୍ରତିମୁହୂର୍ତ୍ତରେ ଚାଲେ ଆମର ଲକ୍ଷ୍ୟଭେଦ
ନୂଆ ନୂଆ ଜ୍ଞାନ କଳା କୌଶଳ
ବନ୍ଦ କର ଏସବୁ ଆତ୍ମବଡିମା
ହୃଦୟକୁ ପ୍ରେମଶରେ ଭେଦିପାରିଲେ
ସାର୍ଥକ ହେବ ଆମର ଏ ମଣିଷ ଜୀବନ ।
