STORYMIRROR

Biswanath Nayak

Others

4  

Biswanath Nayak

Others

ଲକ୍ଷ୍ମଣରେଖା

ଲକ୍ଷ୍ମଣରେଖା

1 min
88


ବାପଘରୁ ସବାରି ଉଠିଲେ ଶାଶୁଘରୁ କୋକେଇ ଉଠିବ।ଏଇ ମୋର ଜୀବନର ସୀମା ସରହଦ।  

ୟା ବାହାରେ ସବୁଆଡେ ମୋ ପାଇଁ ଲକ୍ଷ୍ମଣର ରେଖା,

ସମାଜ ବଡପଣ୍ଡାର ଶହେ ଚଉରାଳିଶି।  

ଏ ରେଖାର ସେପାରିରେ ସୁବର୍ଣ୍ଣର ମାୟାମୃଗ,

ଯତି ବେଶଧାରୀ ଛଦ୍ମବେଶୀ ଦଶାନନ। 

ପ୍ରତୀକ୍ଷାରେ ପୁଷ୍ପକ ବିମାନ,

ସୁଦୂର ଲଙ୍କାଗଡର ଅସୁରୁଣୀ ଜଗିଥିବା ଅଶୋକ କାନନ।  

ବାପାଙ୍କର ମମତାର ଆଖିଲୁହ,

ମାଆ ପଣତର କୋହ ପରିଧିକୁ ଡେଇଁ,

ସବାରିରେ ପାଦ ଦେବା ଯାଏ,

ମୁଁ କୁଆଡେ ବୋଝ,

ବାପାଙ୍କର ସ୍ନେହର ପସରା ପାଇଁ,

ଅନ୍ତଫାଡି ଜନ୍ମ ଦେଇଥିବା ମାଆଙ୍କର-

ବାତ୍ସଲ୍ୟର ଅଳକାନନ୍ଦାର,

ପ୍ରେମର ସେ ମଧୁଧାରା ପାଇଁ। 

ଏ ବୋଝ ଉଠିଗଲେ,

ଶାନ୍ତିସ୍ତୁପ ଗଢିଉଠେ,

ପରିବାର ବୋଧିଦ୍ରୁମ ତଳେ।  

ପରପୁଅ ହାତଧରି ପରକୁ ନିଜର କରି,

ପର ରାଇଜରେ ଯାଇ,

କୁଟାକାଠି ଆଣି ନୀଡ ରଚିବାଟା,

ମୋ ପାଇଁ ଏକ ଆହ୍ଵାନ,

ସୀତାଙ୍କ ଅଗ୍ନିପରୀକ୍ଷା।  

ଏ ନିଆଁର ଲେଲିହାନ ଶିଖା,

ମୋତେ ସେତେ ବାଧେନାହିଁ,

ଯେତେ ମୋତେ କଷ୍ଟ ଦିଏ 'ଝିଅବୋଝ' ଶବ୍ଦ। 


ମୋ ପାଇଁ ଲୁଚିଛପି କେତେ ଭୃଣ ହତ୍ୟା,

କେତେ ପିତା ସାଜନ୍ତି ଜହ୍ଲାଦ।  

ସ୍ଵାର୍ଥର ଯୂପକାଠ ଓ ଅନ୍ଧବିଶ୍ଵାସ ଯଜ୍ଞରେ,

ପଡେ ମୁହିଁ ବଳି।  

ମୋ କଣ୍ଠର କରୁଣ ଚିତ୍କାରେ,

ଭାଙ୍ଗେନାହିଁ ସମାଜର କୁମ୍ଭକର୍ଣ୍ଣ ନିଦ୍ରା।  

ମୁଁ କୁଆଡେ ଝିଅ,                             

ଦେବିନାହିଁ ନିଆଁ ବାପମାଆଙ୍କ ମୁହଁରେ। 

ଉଦ୍ଧାର କରିବିନି ମୁଁ ପୁତ୍ ନରକରୁ। 

ସେଥିପାଇଁ ଦୁନିଆଁ କୁ ଆସିବା ବାଟରେ,

ମୋ ପାଇଁ ଏତେ ବାଧା ଏତେ ଝଡଝଞ୍ଜା।  


ମୁଁ ଯଦି ଦେବକୀ ହୋଇ ନ ଆସିବି,

ନ ରହିବି କଂସ ବନ୍ଦୀଘରେ,

ଧର୍ମ ସଂସ୍ଥାପନ ଆଉ ଅଧର୍ମ ବିନାଶ ପାଇଁ,

କାହା ଅଷ୍ଟମ ଗର୍ଭରୁ ଜନମିବ ବସୁଦେବ ସୁତ?

ମୁଁ ଯଦି ଯଶୋଦା ହୋଇ ଦଧି ନ ମନ୍ଥିବି,

ଆଣ୍ଠୁଆ ଗୋପାଳ ମୁଖେ କିଏ ଦେବ ସର ଓ ଲବଣୀ?

ମୁଁ ଯଦି ଲକ୍ଷ୍ମୀ ସାଜି ନ ଧରିବି ସୁବର୍ଣ୍ଣର ଚଟୁ,

କାଳୀୟଗଞ୍ଜନ ପାଖେ କିଏ ଆଉ ପରଶିବ ଷାଠିଏ ପଉଟୀ?

ମୁଁ ଯଦି ସୁଭଦ୍ରା ହୋଇ ରାକ୍ଷୀ ନ ବାନ୍ଧିବି,

ଜଗାବଳିଆଙ୍କ ହାତ ଦିଶିବନି ଶୁନ୍ୟ?

ମୁଁ ଯଦି ଦୂର୍ଗା ସାଜି ନ ଆସିବି,

ଦୁର୍ଗତିନାଶିନୀ ହୋଇ କିଏ ବିନାଶ କରିବ ମହିଷା ଅସୁର?


ମୁଁ ଜାୟା ମୁଁ ତ ଜନନୀ,

ମୁଁ କନ୍ୟା ମୁଁ ହିଁ ଭଗିନୀ। 

ମୁଁ ସୃଷ୍ଟି ମୁଁ ସ୍ଥିତି ମୁଁ ହିଁ ବିଲୟ। 

ମୁଁ ହିଁ ପ୍ରଗତି ଆଉ ମୁଁ ହିଁ ବିକାଶ।  

ମୁଁ କିପରି ହେଲି ବୋଝ ପରିବାର ପାଇଁ?

ରୁଗଣ ମାନସିକତା ଚାପରେ,

ମୋ ରକ୍ତରେ ହୋଲି ଖେଳିବାଟା,

ନୁହେଁ କଣ ମାତୃତ୍ଵର ଅପମାନ?

ନୁହେଁ କଣ ବିକାଶର ଜୀବନ୍ତ ସମାଧି?



Rate this content
Log in