ଲେଖା ପଛର ପ୍ରେରଣା
ଲେଖା ପଛର ପ୍ରେରଣା


ମଳୟ ପବନ ଶୀତଳ କାରଣ
ହୃଦତାପ ବିନାଶନ,
ଶାନ୍ତଶୀଳ ମନ ପ୍ରକୃତ ସୁଧନ
ପ୍ରେରଣାର ମହାଦାନ |୧|
କର୍ଣ୍ଣରେ ଶ୍ରବଣ ମୁଖରେ ବଚନ
ହସ୍ତ ଲେଖା ପ୍ରଭୁ ଦାନ,
ସ୍ବର୍ଗୀୟ ଶକ୍ତିର ଆଶୀର୍ବାଦ ଝର
ଲେଖା ପଛର କାରଣ |୨|
ମାତା ବୀଣାପାଣୀ କଣ୍ଠରେ ଆସ୍ଥାନୀ
ପଦମାନ ଯୋଡ଼ିଦେଇ,
ପ୍ରଭୁ ଗଜାନନ ଦୟା ଦାନ ମାନ
ଶୁଭ ଲେଖା ହୋଇଥାଇ |୩|
ଗୁରୁଙ୍କ ପ୍ରେରଣା ଆଶୀର୍ବାଦେ ଗଣା
ଶୁଭ ଚିନ୍ତା ଆସେ ମନେ,
କାଳଜୟୀ ଲେଖା ଆପେ ହୁଏ ଯୋଖା
କବି ମୁଖେ ପରଶନେ |୪|
ଯେବେ ମୁଁ ଲେଖିଲି କାଳିଆ ଭଜନ
ମନେ ସ୍ମରି ଜଗନ୍ନାଥ,
ତାଙ୍କରି କରୁଣା ତାହାଙ୍କୁ ତ ଜଣା
ଲେଖି ଦିଏ ମୋର ହାତ |୫|
p>
ପ୍ରଥମେ ଶୁଣାଏ ମୋ ଲେଖା କବିତା
ବଂଧୁ କିମ୍ବା ଛାତ୍ରଗଣେ,
ତାଙ୍କ ଶୁଣିବାରେ ପାଏ ମୁଁ ପ୍ରେରଣା
ଅଧିକ କବିତା ଭଣେ |୬|
କିଏ ଶୁଣୁ ଅବା ନ ଶୁଣୁ କବିତା
ନିତି ନିତି ଲେଖିଯାଏ,
ସାମାନ୍ୟ ଟିକିଏ ପ୍ରେରଣା ପାଇଲେ
ମନେ ମନେ ଖୁସିହୁଏ |୭|
ଲେଖା ପଛର ତ ପ୍ରକୃତ ପ୍ରେରଣା
ପୁସ୍ତକ ପଠନ ଦେଲା,
ଜ୍ଞାନ ଅରଜନ ପୁଣି ଆଲୋଚନ
ଆହୁରି ସୁଦୃଢ଼ ହେଲା |୮|
ପରିବାର ଜନ ଆହୁରି ପ୍ରେରଣା
ଦିନୁ ଦିନ ଯୋଗାଇଲେ,
ମୋ ସହଧର୍ମିଣୀ ଅଧିକ କର୍ମିଣୀ
ମୋ ଲେଖା ଆଗେ ଶୁଣିଲେ |୯|
କବି ବଂଧୁଗଣେ ଲେଖକ ଗହଣେ
ମୋ ଲେଖା ଆଦୃତ ହେଲା,
ପ୍ରେରଣାର ଉତ୍ସ ସେମାନେ ନମସ୍ୟ
ମୂଳଦୁଆ ଗଢ଼ାହେଲା |୧୦|