ଲାଜକୁଳୀ
ଲାଜକୁଳୀ
ହେ ଲାଜେଇ ଲାଜକୁଳୀ ଲତା!
କାହିଁକି ତୁ ଲାଜେଇ ଯାଉଛୁ?
ଟିକେ କର ପରଶରେ,
ଲାଜେ ଜଡସଡ ହୋଇ,ନୂଆବୋହୁ ପରି,
ଓଢ଼ଣାଟା ଟାଣି ଦେଇ ଝାଉଁଳି ପଡୁଛୁ।
ସଭ୍ୟ ଆଉ ଶିକ୍ଷିତ ଯୁଗରେ ଆଉ କିଏ ଲାଜଉଛି?
ଆଉ କିଏ ଓଢଣା ଟାଣୁଛି?
ସତରେ ତୁ ନିପଟ ଗାଉଁଲି,ଅତି ମଫସଲି।
ଆଜିଯାଏ ମରହଟ୍ଟି ଢଙ୍ଗ ଛାଡିଲୁନି।
ଶିକ୍ଷା ଆଉ ସଭ୍ୟତାର ଧାର ଧାରିଲୁନି।
ଆଧୁନିକତାର ମାନେ କିଛି ବୁଝିଲୁନି।
ରକ୍ଷଣଶୀଳତାର ଚାରିକାନ୍ଥ ମଧ୍ୟେରହି,
ଜାତିର ପ୍ରଗତି ପଥେ କଣ୍ଟକ ସାଜିଲୁ।
ଟିକେ ଓଢ଼ଣା ଉଠାଇ ,ଓଠଧାରେ ହସନେଇ,
ଧୀରେଧୀରେ କହିଲା ସେ ଲାଜକୁଳୀ ଲତା
ହେ ମଣିଷ!
ମାନବିକତା ଯେମିତି ତୁମ ଅଳଙ୍କାର,
ତାହା ବିନା ତୁମେ ଅସୁନ୍ଦର,ତୁମ ସ୍ଥିତି ନାହିଁ,
ଲାଜେଇବା ସେମିତି ମୋ ଅଙ୍ଗର ଭୂଷଣ।
ତାହା ବିନା ମୋର ସ୍ଥିତି କାହିଁ?
ଲାଜ ମୋର ପରମ୍ପରା,ଲାଜ ମୋର ଅସ୍ଥିମଜ୍ଜାଗତ।
ପ୍ରତି ଶିରା ପ୍ରଶିରାରେ ମୋର, ଲାଜ ପ୍ରବାହିତ।
ଲାଜେଇବା ମାନେ ନୁହେଁ ରକ୍ଷଣଶୀଳତା,
ଆଉ ମଫସଲି ଢ଼ଙ୍ଗ।
ଆଧୁନିକତା ନାଆଁରେ,
ସଂସ୍କୃତି ଓ ପରମ୍ପରା ଭୁଲିଯିବା,
କିଭଳି ପ୍ରଗତି!
ଲାଜ ନୁହେଁ ଦୁର୍ବଳତା,ସଭ୍ୟତା ବିରୋଧୀ।
ଲାଜ ପରା ଶାଳୀନତା ଆଉ ବିନମ୍ରତା,
ଏହା ପୂଜ୍ୟପୂଜାର ସମ୍ମାନ୍ନ।
ସଂସ୍କୃତି ଓ ପରମ୍ପରା ଅବକ୍ଷୟ ହେଲେ,
ସ୍ଵର୍ଣ୍ଣଲଙ୍କା ଜଳିଯିବ ହନୁମାନ ଲାଙ୍ଗୁଡ ନିଆଁରେ,
ଅଭିମାନୀ ଦୁର୍ଯ୍ୟୋଧନ ଜାନୁଭଗ୍ନ ହେବ,
ବୃକୋଦର ଗଦାର ପ୍ରହାରେ।
ହେ ମଣିଷ! ତୁମେ କୁହ!
ମୁଁ ଯଦି ଲାଜ ନ କରିବି,
ଆଧୁନିକତା ନାଆଁରେ ମୋ ସତ୍ତାକୁ ବଳିଦେବି,
ମୋ ନାଆଁର ସାର୍ଥକତା ଆଉ ରହିବତ?
ତୁମେ କଣ ମୋତେ ଅଲାଜୁକୀ କହିବନି?
ତୁମ ମନ ବଗିଚାରେ ମୋ ପାଇଁ ବଢୁଥିବା,
ସ୍ନେହର ରଜନୀଗନ୍ଧା,ସମ୍ମାନ୍ନ ର ପାରିଜାତ,
ଧରଣୀର ବୁକୁପରେ ଝଡିଯିବନି ତ?
ମୋତେ ଆଉ ତୁମେ ନେଇ ଗର୍ବ କରି କହିପାରିବତ
ଯେଉଁ ମାଟିର ବୁକୁରେ ଛୋଟ ଏକ ଲାଜକୁଳୀ ଲତା,
ଭୁଲିନାହିଁ ତା ସଂସ୍କୃତି ତାର ପରମ୍ପରା,
ସେହି ମାଟିର ସଭ୍ୟ ଓ ଶିକ୍ଷିତ ମଣିଷ,
ତା ନିଜର ପରମ୍ପରା କେମିତି ଭୁଲିବ?
ଭରା କୁରୁସଭା ମଧ୍ୟେ,
ପିତାମହ ଭୀଷ୍ମ ଆଉ ଗୁରୁ ଦ୍ରୋଣ ଆଗେ,
ପାଞ୍ଚାଳୀ କେମିତି ତାର ଓଢ଼ଣା ଖୋଲିବ?
ପାଶ୍ଚାତ୍ୟ ସଂସ୍କୃତିରୁପୀ ଦୁଶାସନ ହାତେ,
ସେ କେମିତି ବିବସନା ହେବ???
