କୁହୁଡି
କୁହୁଡି
ଶୀତ ସକାଳର କୁହୁଡ଼ି ଚାଦର
ଦେହେ ଢାଙ୍କିଥାଏ ଧରା
ଓଢଣୀ ଫାଙ୍କରୁ ଅଳ୍ପ ଅଳ୍ପ ଚାହେଁ
ଆସିଲାଣି ଵୋଧେ ଖରା ।
ଘାସ ଗାଲିଚାରେ କାକର ବିନ୍ଦୁରେ
ମୁକ୍ତାସମ ମନ ମୋହେ
ସଜ ଗୋଲାପର ଲାଜ ଲାଜ ହସେ
ସାରା ବସୁନ୍ଧରା ଶୋହେ ।
ରାତିସାରା ଝରି ଟପ୍ ଟପ୍ ହିମ
ଥକିପଡେ କୋମଳାଙ୍ଗୀ
ପରାଚୀ ଗଗନେ ଅଂଶୁମାନ ଦେଖି
ଦେଖାଏ ଅଳସଭଙ୍ଗୀ ।
ଓଦାଓଦା ମନ ହୁଏ ଛନ୍ନଛନ୍ନ
କାକର କଅଁଳ ଶଦ୍ଦେ
ଅସରନ୍ତି ବ୍ୟଥା ନୁଆଁଏ ଲୋ ମଥା
ତା'ର କୁହୁକେ ନିଃଶଦ୍ଦେ ।
ପୌଷ ମାଘ ମାସ ଖିଲିଖିଲି ହସ
ସତେ ଅଲିଅଳୀ ଜେମା
ମଳୟ ଦେଖିଲେ କାହିଁକି କେଜାଣି
ଗୁମାନ ନ ଭାଙ୍ଗେ ଜମା ।
ଜୀବନଟା ସତେ ବେଳେବେଳେ ଲାଗେ
କୁହୁଡିର ଏକ ଘର
ଟିକେ ଖରା ଟିକେ ଛାଇ ଆଲୁଅର
ଧରାବନ୍ଧା ଧୂଆଁ ଘେର ।
ଆଡେଇ ଅଧୈର୍ଯ୍ୟ ମନେ ଭରି ଧୈର୍ଯ୍ୟ
ସମୟର ସ୍ୱର ଶୁଣ
ନିଶ୍ଚୟ ଅନ୍ଧାର ହଟିବ ଯେ ଶୀଘ୍ର
ଆଣିଵ ଖୁସି ପାର୍ବଣ ।
କୁହୁଡି କବାଟ ଫିଟେଇ ଉଇଁଵେ
ନବ ପ୍ରଭାତର ସୂର୍ଯ୍ୟ
ଉଜ୍ଜ୍ବଳ ଆଲୋକ ବିଚ୍ଛୁରିତ ହୋଇ
ଦୃଶ୍ୟ ହେବ ଶୌର୍ଯ୍ୟ ବୀର୍ଯ୍ୟ ।
ଅଚାନକ କେଵେ ଜୀବନେ ଭରିଲେ
ଅନ୍ଧାର କଳା କୁହୁଡି
ସ୍ଥିତପ୍ରଜ୍ଞ ସାଜି ବିଭୁ ନାମ ହେଜି
ପିନ୍ଧ ପ୍ରୀତିର ପଗଡି ।
ଚିରସ୍ଥାୟୀ ନୁହଁ ଦୁଃଖ ଅବା ସୁଖ
ଚକ୍ରଵତ୍ ସିଏ ଘୂରେ
ଯବନିକା ଯେବେ ପଡିଯାଏ ମଞ୍ଚେ
ନିଶ୍ଚେ ନେପଥ୍ୟରୁ ଫେରେ ।
