କୁହ-ସଖା ଯାଅ ବୋଲି
କୁହ-ସଖା ଯାଅ ବୋଲି
1 min
1.9K
ନିରୋଳାରେ ଏବେ ଭେଟୁଛି ତୁମକୁ
କହିବାକୁ ମନକଥା ,
ତୁମବିନା କୁହ ଆଉ କିଏ ଅଛି
ଯେ ବୁଝିବ ହୃଦ-ବ୍ୟଥା ।
କେଉଁ ଜନମରୁ ତୁମସହ ଭାବ
ଯୋଡ଼ି-ହୋଇଅଛି ମୋର,
କେ କହି ପାରିବ-କାହାକୁ ବା ଜଣା
ବ୍ରହ୍ମାଙ୍କୁ ଯା' ଅଗୋଚର ।
ମହୀ ଭାରା ସିନା ଉଶ୍ୱାସିବା ପାଇଁ
ଅବତାର ନେଲି ଏଠି ,
ବହୁକାଳୁ କିନ୍ତୁ ତୃଷ୍ଣା ଥିଲା ଯାହା
ଏଇ ଧାମେ ଗଲା ମେଣ୍ଟି ।
ସତୀ ଶିରୋମଣି,ତୁମ ସଙ୍ଗ ଲଭି
ହୋଇଅଛି ମୁହିଁ ଧନ୍ୟ ,
ମରତେ ରଚିଛ ,ଭିନ୍ନ ବଇକୁଣ୍ଠ
କରିଛ ଯାତନା ଶୂନ୍ୟ ।
ହେ ପ୍ରାଣ ବାନ୍ଧବୀ,କେମିତି କହିବି
ଜଗତ କଲ୍ୟାଣ ଲାଗି ,
ତୁମଠାରୁ ଏବେ କିଛି କାଳ ପାଇଁ
ଆଜ୍ଞା ଦେଲେ ଦୂରେ ଯିବି।
ଏସବୁ କେବଳ ଲୋକ ଦେଖାଣିଆ
ମୁଁ ଯେ ପିଣ୍ଡ ତୁମେ ଶ୍ଵାସ ,
ଯେଉଁଠାରେ ତୁମେ ସେହିଠାରେ ମୁହିଁ
ସଦା କରିଥାଏ ବାସ ।
ତୁମକୁ ତ ସବୁ ଜଣା ପ୍ରାଣେଶ୍ୱରୀ
ଆଉ କି କହିବି ଖୋଲି ,
ଆଜ୍ଞା ଦେଲେ କାଲି ଗୋକୁଳ ତେଜିବି
କୁହ, 'ସଖା ଯାଅ ବୋଲି '।।
ବି. ନିରୁପମା
ମାମୁରିଆ, ଛେଣ୍ଡିପଦା,ଅନୁଗୋଳ।
