କଟାଧାନ କ୍ଷେତ
କଟାଧାନ କ୍ଷେତ
କଟାଧାନ କ୍ଷେତ ଦିଗନ୍ତ ବିସ୍ତୃତ
ଦେଖି ଭାବ ରାଜ୍ୟେ ହେଲି ମୁଁ ବିସ୍ମୃତ |
କାଲି ଯାହା ଥିଲା ଶୋଭା ନିକେତନ
ଆଜି ଶିରୀହୀନ ମଳିନ ବିବର୍ଣ୍ଣ |
ସର୍ବସ୍ୱ ତାହାର ହୋଇଛି ଲୁଣ୍ଠିତ
ହତାଶ ଶୂନ୍ୟତା କରେ କବଳିତ |
ଭାଗ୍ୟ ଚକ୍ର ସାଜି ଅଛି ବିଡ଼ମ୍ବନା
ଧର୍ଷିତା ରମଣୀ ସମ ଅଶୋଭନା |
ଉଜୁଡ଼ି ଯାଇଛି ସ୍ୱର୍ଣ୍ଣାଭ ସମ୍ଭାର
ଅଲୋଡ଼ା ଅଖୋଜା ପରିସର ତାର |
ଶବାଧାରେ ଘୋଡ଼ା ଧବଳ ବସନ
ଦୂରୁ ଧାନ ମୂଳ ଵିଭାସେ ନୟନ |
ଆଜି ଚାଷୀପୁଅ ଚାହୁଁନି ବଦନ
ଦିନେ ଥିଲା ତାର ସପନର ଧନ |
ସରିଗଲା ସ୍ୱାର୍ଥ ତେଜିଲା ସେ ମୂଳ
ବୋହି ନେଇ ଶସ୍ୟ ଘରେ କଲା ଠୁଳ |
ଶୁଭୁନାହିଁ ଚାଷୀ ସଂଗୀତ ଗାୟନ
କାକ ପିକ ବଣି ଗେଣ୍ଡାଳିଆ ସ୍ଵନ |
ଥୁଣ୍ଟା ଡାଳେ ବସି ଶାଗୁଣା କାତର
ମଢ଼lଟିଏ କାହିଁ ହେଉନି ଗୋଚର |
ବଗଟିଏ ବସି ଗଡା଼ଉଛି ଲୁହ
ସ୍ମରି ପ୍ରିୟତମା ବିଚ୍ଛେଦ ବିରହ |
ଵିଲ ପାଟ ସବୁ ହେଲା ମୀନ ଶୂନ୍ୟ
ସର୍ବଭକ୍ଷ୍ୟ ନର କେଡ଼େ ନିଦାରୁଣ |
ସମସ୍ତଙ୍କୁ ମାରି ରହିବ ଏକାକୀ
ବଧେ ଜୀବ ଜଳେ ସ୍ଥଳେ ନଭେ ଟାକି |
ପ୍ରକୃତି ସନ୍ତାନ ପ୍ରକୃତି ମାରଣ
ଯଜ୍ଞ କରେ କାଟି ସବୁଜ ଅରଣ୍ୟ |
କଟା ଧାନ ବାଢ଼େ ଜୀବନର ତତ୍ତ୍ୱ
ଅସାର ସଂସାରେ ମୃତ୍ୟୁ ଏକା ସତ୍ୟ |
ଜୀବନ ଯୌବନ ଧନ ନୁହେଁ ସ୍ଥିର
ଘନେ ସୌଦାମିନୀ ପରାୟେ ଅସ୍ଥିର |
ବଞ୍ଚିଥିବା ଯାଏ ସରବେ ନିଜର
ବୁଜିଦେଲେ ଆଖି ସର୍ବେ ହୋନ୍ତି ପର |
ଜୀବନର ମୂଲ୍ୟ ମୁଠାଏ ପାଉଁଶ
କୋକେଇରେ ଲୋଡ଼ା ଛ'ଖଣ୍ଡି ବାଉଁଶ |
ଉଦ୍ଭଵ ବର୍ଦ୍ଧନ ବିଲୟକୁ ଚିନ୍ତ
ବେଳଥାଉ ହୁଅ ବିଭୁ ପଦାଶ୍ରିତ |
