କଥା କେବଳ ତୋର ମୋର
କଥା କେବଳ ତୋର ମୋର
କଥା ସବୁ ସେମିତି...
କଥା....
ବୀଜ ଏକପତ୍ରୀରୁ ଦ୍ରୁମ ହେବା ଯାଏ
ସୋପାନ ସୋପାନ ଦେଇ
ବାଲିଗରଡ଼ା ସମ ଆକାର ପାଇବା ପୂର୍ବରୁ
ସ୍ଥାନ କାଳ ଆଉ ପାତ୍ର ପାଇଁ
ଭିନ୍ନଆକାର ଆଉ ପ୍ରକାରର
ପୋଷାକ ଭିତରେ ନିଶ୍ୱାସ ନେଉଥାଏ..
ଅଥଚ ଆୟୁଷର ଶେଷ ପ୍ରହର ପର୍ଯନ୍ତ
ବିନା ନାମ ଆଉ ଠିକଣାରେ
ଯାଯାବର ସମ ବୁଲୁଥାଏ
ଏ ପ୍ରାନ୍ତରୁ ସେ ପ୍ରାନ୍ତ ଯାଏ...
କଥା......
କଥା ଭିତରେ କଥା ଟିଏ
ସାଧାରଣ ମଣିଷଟି ଯେତେବେଳେ କହିଦିଏ
ମୁଁ ଭଲ ଅଛି
ମୋର କଣ ହେବ ଯେ...
ପ୍ରଶ୍ନ କର୍ତ୍ତା ମାପି ପାରେନା ତା' ଆଖିରେ
ଅୟୁତ ଯୁଗର ସାଇତା
ବେଦନାର ର ଗଭୀରତା..
କପାଳ କୁଞ୍ଚନ ଭିତରେ ଲୋଚାକୋଚା ହେଇ
ଆଣ୍ଠେଇ ପଡିଥିବା ଗହଳ ଅନ୍ଧାରର
ବହଳ ନୀରବତା...
କଥା.....
ସବୁବେଳେ ଚୀରକାଳେ
ଏମିତି ଭଙ୍ଗା ପିଆନୋର ଅସ୍ପଷ୍ଠ ଉଚ୍ଚାରଣ
ଯାହା ବୁଝିବା ଆଉ କରିବାର
ବହୁ ଉର୍ଦ୍ଧରେ
ମନ ଆରପଟ ଗାଁ ର ଅଶ୍ରୁଳ କାହାଣୀ ଟିଏ...
ବିନା ଠିକଣାର ବେରିଂ ଚିଠି ଟିଏ.. ।
