STORYMIRROR

Biswanath Nayak

Others

4  

Biswanath Nayak

Others

କସ୍ତୁରୀ ମୃଗ

କସ୍ତୁରୀ ମୃଗ

1 min
252


ଧାଉଁଛି କସ୍ତୁରୀ ମୃଗ,

ପୂରୁବ, ପଶ୍ଚିମ ଆଉ

ଉତ୍ତର, ଦକ୍ଷିଣ,

ନିଜ ନାଭି କମଳରୁ

ପ୍ରସରିତ ହେଉଥିବା

କସ୍ତୁରୀର ସୁରଭିରେ

ଆକର୍ଷିତ ହୋଇ

କରିବାକୁ ସେହି

ସୁରଭିର ଅନ୍ଵେଷଣ।  

ନିଜ ହୃଦ କନ୍ଦରରୁ

ନିନାଦିତ ହେଉଥିବା

ଶବ୍ଦକୁ ନ ବାରି,

ମଣିଷ ଯେଯରି ଧାଏଁ

ମନ୍ଦିର, ମସଜିଦ,ଗୀର୍ଜା

ଆଉ ଗୁରୁଦ୍ୱାର,

ଖୋଜିବାକୁ ଅନାହତ ସ୍ଵର,

ସୃଷ୍ଟିର ପ୍ରଥମ ଶବ୍ଦ ପବିତ୍ର ଓଁକାର। 

କିନ୍ତୁ ଆହେ ଅମୃତ ସନ୍ତାନ!

ତୁମେ ଅଟେ ବିଶ୍ଵରୂପ,

ସବୁତ ପୁରି ରହିଛି ତୁମରି ଭିତର,

ତୁମେ ଅଟ ସୀମାହୀନ ,

ଅନନ୍ତ ଓ ଗଭୀର ସାଗର,

ତୁମ ଗରଭେ ପୁରିଛି

କେତେ ହୀରା ନୀଳା ମୋତି

ରତ୍ନ ଅଳଙ୍କାର,

କସ୍ତୁରୀ ମୃଗ ପରାୟେ

ବୃଥା ପରିଶ୍ରମ କରି

ଧାଅଁ ନାହିଁ ଆଉ ତୁମେ

ପୂରୁବ, ପଶ୍ଚିମ ଆଉ ଦକ୍ଷିଣ ଉତ୍ତର,

ଆପଣା ଭିତରେ କର

ସେହି କସ୍ତୁରୀର ଆବିଷ୍କାର,

ତାହେଲେ ବାରିବ ତୁମେ

ଆପଣା ଭିତରେ ସେହି

କସ୍ତୁରୀ ସୁରଭି,

ନିଜ ହୃଦୟ ଭିତରୁ

ଝଙ୍କୁରିତ ହେଉଥିବା

ସୃଷ୍ଟିର ସେ ଆଦ୍ୟସ୍ଵର ପବିତ୍ର ଓଁକାର। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍