କ୍ଷତାକ୍ତ ଆକାଂକ୍ଷା
କ୍ଷତାକ୍ତ ଆକାଂକ୍ଷା
ଆସନ୍ନ ବର୍ଷଣୋନ୍ମୁଖ ମେଘ ମୁଁ-
ଆନତ-ସମର୍ପିତ,
ହେଲେ ତୁମେ....?
ତୁମେ, ଡ଼ହ ଡ଼ହ ଅତୃପ୍ତ ମରୁ-ତୃଷ୍ଣା......
ମୁଁ ଚିରନ୍ତନ ଅମୃତସ୍ରାବୀ କାମ'ଧେନୁ,
ଉଲଙ୍ଘ-ଶିଶୁ ସମ ଅନାବୃତ,
ହେଲେ ତୁମେ....?
ତୁମେ କୁଣ୍ଡଳି'କୃତ ଅଜଗରର
ଚିତ୍ର-ବିଚିତ୍ର ମୋହିନୀ-କାମନା....
ଉତ୍ତୁଙ୍ଗ ଶିଖର ତୁମେ
ମେଘ'ମାଳ ମୁହିଁ,
ତପ୍ତ-ବୁକେ ତୁମ ଢ଼ାଳୁ'ଥାଏ
ପ୍ରଶାନ୍ତିର ବାରି-ଧାରା,..
ହେଲେ ତୁମେ- ଅଚଳା,
ପ୍ରତି'କ୍ରିୟା ହୀନା,...
ପରାସ୍ତ ହୁଏ ମୋର ଶତ ଶତ ଚୁମ୍ବନର ଉଷ୍ମତା,
ଅଥର୍ବ ହୁଏ ମୋର-
ବଳିଷ୍ଠ ବାହୁ ଆଲିଙ୍ଗନର
ସ୍ପର୍ଶ-ପ୍ରଖରତା.....
ସତେ କି ମୁଁ,
ଅହି ମୁଖେ ବେଙ୍ଗ,
ଅବା ଅନଳେ ପତଙ୍ଗ,
ଅଥବା-
ଆକାଶକୁ ରଞିତ କରିବାର ବ୍ୟର୍ଥ ପ୍ରୟାସରେ,
ଇନ୍ଦ୍ରଧନୁ ରଙ୍ଗ,........
ଏକ ଥୁଣ୍ଟା ଅଗରେ-
ଧ୍ୟାନସ୍ଥ କଙ୍କି'ଟିଏ ପରି,
ହୁଏତ ପତଙ୍ଗର ମାନସିକତାରେ
ଦିବା-ସ୍ୱପ୍ନ ଦେଖେ,
ଏକ ବାସନ୍ତୀ ପାରିଜାତ ବନ
ନବ-ପଲ୍ଲବିତ ଓ କୁସୁମିତ,...
ଅଥଚ ଅନ୍ତରାଳରେ ମୁଁ ଶୁଣୁ'ଥାଏ
କ୍ଷତାକ୍ତ-ରୁଧିରାକ୍ତ ଆକାଂକ୍ଷା ମାନଙ୍କର
ଅନ୍ତିମ ଆର୍ତ୍ତନାଦ ନୀରବରେ....
ଓ ଶବ-ପୋଡ଼ା ଗନ୍ଧ
ମୋ ନାସା'ରନ୍ଧ୍ରେ,
ମୁଁ ଯେପରି ଅଥର୍ବ-ଜଡ଼-ନିର୍ବେଦ'ଟିଏ......
ବିଳମ୍ବିତ ଶୀତ-ରାତି,
ଦିକି-ଦିକି ତାରା'ମାନେ,
କାକର-ଧୁଆ......
ସତେ'କି ରତି'ତୃପ୍ତ ତନ୍ଦ୍ରାଳୁ ନୟନେ
ଉପହସିତ ମୁହିଁ,
ଆଃ:- କି ଦାରୁଣ ଯନ୍ତ୍ରଣା-
ଟୋପ୍-ଟୋପ୍-ଟୋପ୍
ମୋ କଲିଜା'କୁ ଛିଦ୍ର କରି'ଯାଆନ୍ତି
ପତ୍ର-ଝରା କାକର ଟୋପା ଶବ୍ଦ ସବୁ....
