STORYMIRROR

Padmaja Saran

Others

4  

Padmaja Saran

Others

କ୍ଷତ

କ୍ଷତ

1 min
184

ପଦ୍ମପୋଖରୀ ଆଡେ

ଗୋଟେ ବୋଲି ରାସ୍ତା

ପାଖାପାଖି ଅନେକ ପୋଖରୀରେ

କାଳେ ପଦ୍ମଫୁଲର ଭ୍ରମ

ଛନ୍ଦାଛନ୍ଦି ବି ଆଉ ସବୁ ରାସ୍ତା ବୋଲି

ହେତୁହେବା ଦିନ ଠାରୁ

ଧରିଛି ତୋ ହାତ

ତଥାପି କେମିତି ଅବାଟରେ ପାଦ ପଡ଼ିଗଲା

କହ ତ ??

ନିହାତି ଟାଣିନେବା କଥା ତୋର

କାହିଁ ନେଲୁନି ତ ???

ତୁ ବି କ'ଣ ଅନ୍ୟମନସ୍କ ହେଉ ବେଳେ ବେଳେ

ଆଉ ଭୁଲିଯାଉ ରାସ୍ତା ???


ଦେଖିଛୁ ନା

ମୋ କଅଁଳ ଛାତିରେ ଯୋଉ କଣ୍ଟା ଫୁଟିଗଲା

କେତେ ଗହୀର ସେ କ୍ଷତ ???

କେତେ କିଏ ଉପଚାର, ଜଡ଼ିବୁଟି, ଔଷଧପତ୍ର ଦେଲେ, ଲାଭ କିଛି ହେଲାନି

ଆହୁରି ଘାରିଲା ଘାଆ

ତଥାପି ତ ଧରିଛି ତୋ ହାତ,

ଭୋଗୁଛି ନର୍କ

ବୁଝିପାରୁନି କାରଣ, ନିରାକରଣ


ସବୁ ପଚାରୁଛି ତତେ

କିଛି ଉତ୍ତର ବି ଦେଉନୁ

କ୍ଷତ ମହକିଲେ କସ୍ତୁରୀ ବୋଲି

କେବେ ଥରେ କହିଥିଲି ବୋଧେ


ମୁଁ 

ଫେରିଆସୁଛି ପଦ୍ମପଥରୁ

ଗଂଧବିଭୋର ମନ ଭଅଁର

ଉଡି ଯାଉଛି ଆଉ କୁଆଡେ ଯେ

ଖସିଆସୁଛି ମୋ ହାତ,ତୋ ହାତରୁ


ଆଉ ପଦ୍ମ ପୋଖରୀ କେତେ ବାଟ ??

ତୁ ତ..

ଅଣ୍ଟାରେ ପାହାରେ ଦେଲୁ ଯେ

ସକାଳ,ସଂଜ,ଜହ୍ନ,ମେଘ

ଗୋଧୁଳିଗୀତ, ଇନ୍ଦ୍ରଧନୁର ଛାଇ

ସବୁ କେମିତି ଚୁପଚାପ ନିରବ ନିଶ୍ଚଳ

ମୁଁ ଅତିକ୍ରମି ପାରୁନି ଏମାନଙ୍କୁ


ଥାଉ ପଦ୍ମ ପୋଖରୀ ଆଗରେ

ତୁ ବି ବେଶ୍ ଅନ୍ୟମନସ୍କ


ଛାତିତଳ କ୍ଷତରେ 

ଗୋଟେ ଅଧାଲେଖା କବିତାର ଦହଗଞ୍ଜ,


ମୁଁ ନିଜେ ନିଜେ ପଚାରି ପଚାରି, ଚାଲିଯିବି

ବାଟବଣା ହେବି ତ....

ହୁଏ ପଛେ ବାଟବଣା କି ଲହୁଲୁହାଣ ବାରମ୍ବାର

ତତେ ଭରସା କ'ଣ କରିହେବ ଆଉ...


ଏବେ ଟିକେ ହାତ ଛାଡ

ମୁଁ ଅବାଟରେ....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍