କର୍ତ୍ତବ୍ୟ କରିବୁ କିଛି
କର୍ତ୍ତବ୍ୟ କରିବୁ କିଛି
ଧନୁଯାତ୍ରା ଦେଖି ଯାଉଅଛୁ ଆମ୍ଭେ
ଗୋପରୁ ମେଲାଣି ନେଇ ,
କେତେ ଆଦରରେ ଡାକିଛନ୍ତି ମାମୁଁ
ଅକ୍ରୁରଙ୍କୁ ରଥ ଦେଇ ।
କର୍ମ ଅବଳରୁ ମଥୁରାର ଛୁଆ
ଗୋପରେ ବଢ଼ିଲୁ ଆସି ,
ବିଭୁ କରୁଣାରୁ ବୈକୁଣ୍ଠର ସୁଖ
ଦେଲେ ଗୋପପୁର ବାସୀ ।
ଘଡ଼ି ଘଡ଼ି କେତେ ବିପଦ ଆପଦୁ
ଉଦ୍ଧରି ରଖିଲେ ହରି ,
ଚାହୁଁ ଚାହୁଁ ଏଠି ଦିନ ବିତିଗଲା
ଗୋମାତାଙ୍କ ସେବା କରି ।
ଯମୁନାର କୂଳେ କଦମ୍ବର ମୂଳେ
ଘୂରି ବୁଲୁଥିଲୁ କେତେ ,
ଗିରି ଗୋବର୍ଦ୍ଧନ ଆଉ ବୃନ୍ଦାବନ
ଆପଣାର ଥିଲେ ସତେ ।
ଯେତେଦିନ ଏଠି ଲୀଳା ଖେଳା କଲୁ
ସବୁ ପଡ଼ୁଅଛି ମନେ ,
କେତେ ସ୍ନେହ, ଶ୍ରଦ୍ଧା, ସେନେହ,ଆକଟ
କରିଛନ୍ତି ଗୋପ ଜନେ ।
ଯାଉଅଛୁ ଏବେ ଯାତ ଦେଖିବାକୁ
କର୍ତ୍ତବ୍ୟ କରିବୁ କିଛି ,
ଧରଣୀ ମାତାର ଆକୁଳ ମିନତି
ଆଗରୁ ଯା' ପାଶେ ଅଛି ।।