କୃଷ୍ଣାବତାର
କୃଷ୍ଣାବତାର
ଲୀଳାମୟ ଆହେ ହରି . . . ଲୀଳା କର ଅବତରୀ
ଲୀଳା ତବ ଅଗୋଚର ବ୍ରହ୍ମା ଶଂକର
ଦେବକୀ ମାତାର ଋଣ . . . ଥିଲା କିବା ଅପୁରଣ
ପରିଶୋଧ କଲ ରହି ତାଙ୍କ ଗର୍ଭର ।
ବସୁଦେବ ଯାଦବପତି
ହରଣ କରିଲ କାରା କଷଣ ଅତି !
ଦେବକୀଙ୍କୁ ବନ୍ଦୀ କରି . . . ପେଶିଲା କାରା କୋଠରୀ
ଷଡସନ୍ତାନ ମାରିଲା ଶିଳେ କଚାଡି
କଂସ ପ୍ରତାପରୁ ଧରା . . . . ତ୍ରାହି ତ୍ରାହି ଡାକ ଦେଲା
ଆଉ ନପାରିବି ସହି ଅସୁର ରଡି ।
ନାଥ ଦେଲେ ଅଭୟବାଣୀ
ଦୁଃଖ ତବ ଫେଡିବିଗୋ ଧରଣୀରାଣୀ ।
ଭାଦ୍ର କୃଷ୍ଣ ଅଷ୍ଟମୀରେ . . . . ଘନଘୋର ଅନ୍ଧକାରେ
ଚାରି ମେଘ ଏକତ୍ରିତ ହୋଇ ବରଷେ
ରଚି ମାୟା ଘୋରତର . . . .ଜନ୍ମିଲେ କାରା ଗୃହର
କାରା ରକ୍ଷୀ ଅଚେତନ ହେଲେ ନିଦ୍ରାରେ ।
ବନ୍ଦୀଶାଳା ଉନ୍ମୁକ୍ତ ହେଲା
ଦେବକୀ ବସୁଦେବଙ୍କ ବେଡି ଫିଟିଲା ।
ପିତା ବସୁଦେବ ଶୁଣି . . . . ସମ୍ମୁଖରୁ ଦେବବାଣୀ
ନବଯାତକକୁ ନିଜ ଶିରେ ଥୋଇଲେ
ଯମୁନାର ବଢି ଜଳ . . . . ନମାନଇ ଥଳକୁଳ
ଦୁଇ ଭାଗ ହୋଇ ପ୍ରଭୁ ଯାଅ ବୋଇଲେ ।
ନନ୍ଦଘରେ ବିଜୁଳି କନ୍ୟା
ଯଶୋମତି ରାଣୀଙ୍କର ନାହିଁ ଚେତନା ।
ଖରତରେ ବସୁଦେବ . . . . ଗୋପେ ରଖି ବାସୁଦେବ
ବିଜୁଳି କନ୍ୟାଙ୍କୁ ଧରି ଯମୁନା ପାର
ପ୍ରବେଶନ୍ତେ କାରାଗାରେ . . . . କାରା ରକ୍ଷୀ ଚେତିଗଲେ
ପୁତ୍ର ନୁହେଁ କନ୍ୟା ଦେଖି ଦେବକୀଙ୍କର ।
କଂସ ଆଗେ ଉଦନ୍ତ ଦେଲେ
ମାରିବା ଆଗରୁ କନ୍ୟା ଶୂନ୍ୟେ ଉଠିଲେ ।
ଅଷ୍ଟମ ଗରଭ ବତ୍ସ . . . . ଗୋପେ ବଢୁଛି ଅବଶ୍ୟ
ବାରତା ପାଇ ଦୃମିଳା ନନ୍ଦନ କାଳ
ଅଘାସୁର ବକାସୁର . . . . ପୁତନା ଶକଟାସୁର
ପେଶି ତୃଣାବର୍ତ ଆଦି ଅସୁର ବଳ ।
ଅପଚେଷ୍ଟା ନୋହି ସଫଳ
ଧନୁ ଯାତ ନିମନ୍ତ୍ରଣ ପେଶି ଅକୃର ।
ମତ୍ତ ହସ୍ତୀ ସାଥେ ଯୁଦ୍ଧ . . . . ଅଷ୍ଟମଲ୍ଲ ହେଲେ ବଦ୍ଧ
ମଂଚରୁ ଖସି ପଡିଲେ ମଥୁରା ରାଟ
ଚତୁର୍ଦିଗ କୃଷ୍ଣମୟ . . . . ଦେଖି ପାଇଲେ ସେ ଭୟ
ପାଶ ହସ୍ତେ ଉଭା ହୋଇଲେ ଯନ୍ତୁରାଟ ।
କୃଷ୍ଣେ ଚାହିଁ ତେଜିଲେ ପ୍ରାଣ
ପୁଷ୍ପ ବୃଷ୍ଟି କଲେ ସ୍ୱର୍ଗୁ ଦେବତା ଗଣ ।
ବାଳଲୀଳା ଦିବ୍ୟ ଲୀଳା . . . . ମତ୍ତ ହେଲେ ଗୋପବାଳା
ସୁଦ୍ଧା ଭକତି ମାରଗ ଅମୃତ ପାନ
ମଥୁରା କଟକ ଆସି . . . . . ଭୁଲିଲେ ମୋହନ ବଂଶୀ
ରାଜଧର୍ମ ପାଳନରେ ହେଲେ ମଗନ ।
ମହାଯୁଦ୍ଧ ମହାଭାରତ
ନିରସ୍ତ୍ର ଗୋପାଳ ରଥି ଅର୍ଜୁନ ରଥ ।
-ବିଶ୍ଵେଶ୍ୱର ମାଝୀ-
