କୃଷକ
କୃଷକ
କୃଷକଟିଏ ମୁଁ ହଳ ଓ ଲଙ୍ଗଳ
ସଦା ମୋର ସହଚର
ମାଟି ମାଆକୁ ମୁଁ ଜୁହାର କରୁଛି
ସିଏ ମୋର ଆପଣାର ।
ତା ବକ୍ଷ ବିଦାରି ମୋ ଲହୁ ନିଗାଡି
ଫଳାଏ ତା ଦେହେ ସୁନା
ଖରା ବର୍ଷା ଶୀତ ନାହିଁ ମୋ ଖାତର
କୃଷକଟିଏ ମୁଁ କି ନା ।
ପାଗ ଯୋଗ ଦେଖି ଚାଷବାସ କରି
ବୀଜ ମୁଁ ବପନ କରେ
ଖତ ସାର ପାଣି ନିୟନ୍ତ୍ରଣ କରି
ଗଛକୁ ଯତନ କରେ ।
ରୋଗ ପୋକ ସବୁ ଗଛରେ ଲାଗିଲେ
କରଇ ପରିଚାଳନା
ଠିକଣା ବେଳରେ ସବୁ କାମ କଲେ
ଗଛରେ ଫଳଇ ସୁନା ।
ନୂଆ ନୂଆ କଳ ବାହାରିଛି କେତେ
କରିବି ଉନ୍ନତ ଚାଷ
ମନରେ ଆସୁଛି କେତେ ନୂଆ ଆଶା
ଆସୁଛି କେତେ ବିଶ୍ବାସ ।
ଅଭାବୀ ସଂସାରେ ଚଳିବାକୁ ହୁଏ
ଯେନତେନ ପ୍ରକାରେଣ
ଯୋଜନା କରନ୍ତି ସରକାର କେତେ
ହେବ କୃଷକ କଲ୍ୟାଣ ।
ସଭିଙ୍କ ପାଟିରେ ପ୍ରଶଂସା ମୋହର
ଜୟ କିଷାନର ବାଣୀ
ଉଚ୍ଚାରନ୍ତି ସିନା ତୁଣ୍ଡରେ ସଭିଏଁ
ମୋ ହୃଦୟ ହୁଏ ହାଣି ।
କେଉଁ ବରଷ ହୁଏ ଧୋଇ କେବେ ବା
ମରୁଡ଼ିରେ ଖେତ ଯାଏ
ଉଧାର କରଜ ଶୁଝିବା ପାଇଁକି
ପଇସା ପାଖେ ନ ଥାଏ ।
ଖେତ ଯେଉଁ ବର୍ଷ ଭଲ ହୋଇଥାଏ
ହରଷ ହୁଏ ମୋ ମନ
ଫସଲ ନ ହେଲେ ହୁରୁଡେ ବରଷେ
ଘର ମୋ ହୁଏ ଉଚ୍ଛନ୍ନ ।
ଲକ୍ଷ୍ମୀ ଠାକୁରାଣୀ କରିଲେ କରୁଣା
ଇନ୍ଦ୍ର ହୋଇଲେ ମୋ ସାହା
ସୁନାର ଫସଲ ହସିବ ଖେତରେ
ହସିବ ମୋ ମାଟି ମାଆ ।
