କ୍ରୋଧାଗ୍ନି
କ୍ରୋଧାଗ୍ନି
ପ୍ରକୃତିର ବଶ ଅଟନ୍ତି ମାନବ
ସହଜାତ ଗୁଣେ ଜନ୍ମ ।
ପ୍ରାରବ୍ଧର କର୍ମଫଳ ଅନୁସାରେ
କରୁଥାନ୍ତି ନିଜ କର୍ମ ।
ଷଡରିପୁ ଦ୍ବାରା ହୋଇ ବଶବର୍ତ୍ତୀ
ନଛାଡନ୍ତି ସ୍ବ ପ୍ରକୃତି ।
ପ୍ରକୃତି ଛାଡିବା ନୁହଁଇ ସହଜ
ଜୀବନ ହେଲେ ବି ଇତି ।
ନର ଭିନ୍ନ ବୃକ୍ଷ-ଲତା-ପଶୁପକ୍ଷୀ
ସୃଷ୍ଟି ପ୍ରକୃତିରେ ବନ୍ଧା ।
ସେହି ସ୍ବଭାବକୁ ଛାଡିନପାରନ୍ତି
ଯେତେ ଦେଲେ ତାକୁ ବାଧା ।
ଷଡରିପୁ ମଧ୍ଯେ ଦ୍ବିତୀୟ ରିପୁଟି
କ୍ରୋଧ ଯେ ଅଟଇ ଜାଣ ।
ମନୁଷ୍ୟର ଏହା ସୁଦୁର୍ଜୟ ଶତ୍ରୁ
ଅଗ୍ନି ବିନା ଵି ଦହନ ।
ବସ୍ତ୍ରକୁ ଯେ କୀଟ ନଷ୍ଟ କଲାପରି
କ୍ରୋଧ ଜାଳାଏ କ୍ରୋଧୀକୁ ।
କ୍ରୋଧ ସମ ଶତ୍ରୁ ନାହିଁ ମନୁଷ୍ୟର
ଧ୍ବଂସ କରିଦିଏ ତାହାକୁ ।
କ୍ଷଣକୋପୀ ଥିଲେ ଦୁର୍ବାସା ଋଷି ଯେ
କରୁଥିଲେ ମହାକୋପ ।
କ୍ରୋଧ ସମ୍ବରଣ ନକରି ପାରି ସେ
ଦେଉଥିଲେ ଅଭିଶାପ ।
ଗର୍ବାଭିମାନରେ ହୋଇ କୋପାନଳ
ଅହଙ୍କାରୀ ଦୁର୍ଯ୍ୟୋଧନ ।
ପାଣ୍ଡବମାନଙ୍କ ଧ୍ବଂସ ଚିନ୍ତା କରି
ଦେଲା ଆତ୍ମ ବଳିଦାନ ।
ହିରଣ୍ଯକଶ୍ଯପୁ କ୍ରୋଧେ ବଶ ହୋଇ
ପୁତ୍ରକୁ ଦେଲା ଯାତନା ।
ସେ ଯାତନା ସହି ପୁତ୍ର ପ୍ରହଲ୍ଲାଦ
କଲା ବିଷ୍ଣୁ ଆରଧନା ।
କ୍ରୋଧ ଯେ ଅଟଇ ପରମଚଣ୍ଡାଳ
ମାନେ ନାହିଁ ହିତାହିତ ।
କ୍ରୋଧରେ କାହାକୁ ଜାଳିବା ପୂର୍ବରୁ
ନିଜେ ହୁଏ ଦଗ୍ଧିଭୂତ ।
ବିଶ୍ବାମିତ୍ର ଋଷି ବ୍ରହ୍ମର୍ଷି ନିମନ୍ତେ
ବଶିଷ୍ଠେ କରିଲେ ବାଦ ।
କୋପୀ ମହର୍ଷିଙ୍କୁ ଧୀର ବଶିଷ୍ଠ
କରିଥିଲେ ତୋଷି ଶାନ୍ତ ।
ଶିଶୁପାଳ ରାଜା ହୋଇ କ୍ରୋଧଭର
ପ୍ରଭୁଙ୍କୁ ଦେଲା ଅପମାନ ।
ଶତଦୋଷ କ୍ଷମା କରି ପାପିଷ୍ଠର
ଅନ୍ତେ କରିଲେ ଛେଦନ ।
ଆତ୍ମସଞ୍ଜମରେ କ୍ରୋଧ ନିୟନ୍ତ୍ରଣ
କରିବା ବିଜ୍ଞର କାର୍ଯ୍ୟ ।
ଶାନ୍ତ ଓ ଉଦାର ବ୍ଯକ୍ତି ଦୁନିଆରେ
ହୋଇଥାଏ କୃତକାର୍ଯ୍ୟ ।
ସହିଷ୍ଣୁତା ଗୁଣେ ହେଲେ ବିଭୂଷିତ
ବ୍ଯକ୍ତି ହୁଅଇ ମହାନ ।
ପୂଜାର୍ହ ହୋଇ ସେ ହୁଏ ସମ୍ମାନିତ
ସାର୍ଥକ ହୁଏ ଜୀବନ ।
