କର୍ମର ଫଳ
କର୍ମର ଫଳ
ଖୋଲା ଆକାଶ ତଳେ ବିତେ ଜୀବନ
ନାହିଁ ଆଖିରେ କିଛି ସ୍ଵପ୍ନ
ନା ଅଛି ଭବିଷ୍ୟତ
ଅତୀତକୁ ଭୁଲିଛି ମୁଁ
ବର୍ତ୍ତମାନ ମୋର ସବୁକିଛି ।
ନାହିଁ ମୋର ମୁଣ୍ଡପରେ ଛାତ
ଦେହରେ ଦାମୀ ଅତରବାସ
ସୁସଜ୍ଜିତ ଶେଯ ଉତ୍ତମ ଖାଦ୍ୟ
ଗାଡିମଟର ଟଙ୍କା ସୁନା ରୂପା
ତଥାପି ମୁଁ ସଂଘର୍ଷ କରେ ବଞ୍ଚିବା ପାଇଁ
ଯେତେଦିନ ଧରି ଚାଲିଛି ନିଶ୍ଵାସ ଟିକକ ।
ମୁଁ ଜାଣେନା ସୁଖ କଣ
ଦୁଃଖର ପରିଭାଷା
ମୁଁ ଏକ ଅଦ୍ଭୁତ ଜୀବଟିଏ
ମାଛି ଭଣ ଭଣ ପଚା ଘାଆକୁ
ଛିଣ୍ଡା କମ୍ଵଳେ ଘୋଡିଥାଏ ଯତନେ
ଯନ୍ତ୍ରଣାର ଜୁଇରେ ଜଳୁଥାଏ ସଦା
ଡେରି ହୋଇ ଶୋଇଥାଏ
କେଉଁ ରାସ୍ତାକଡର ପାଚେରୀକୁ ଆଉଜି ।
ନଜର ପଡିଲେ ମୋ ପରେ
ସଭିଏଁ ମୁହଁ ମୋଡି ନିଅନ୍ତି
କେହି କେହି ଆହା ପଦେ କହି
ରାହା ନ ଦେଖାଇ କହନ୍ତି
ଦେଖରେ ଭୋଗୁଛି ସେ ତାର କର୍ମଫଳ ।
ପଶୁଠାରୁ ହୀନ ପାଇ ମୁଁ ମଣିଷ ଜୀବନ
କି ଦୋଷ କରିଥିଲି କୁହ ଥରେ ସାଇଁ
କୃତକର୍ମ ପାଇଁ କଣ ଯଦି ଏ ଶାସ୍ତି
ସବୁ ବୁଝି ମଣିଷ କାହିଁ କରେ କୁକର୍ମ
ମୋ ପରି ଦଶା ଭୋଗେ ସାରା ଜୀବନ
ନା କମ୍ବଳ ଖୋଲି ଦେଖାଇହୁଏ ଯନ୍ତ୍ରଣାକୁ
ନା ମନ ଖୋଲି କିଛି କଥା କହିହୁଏ କାହାକୁ ।
