କରିଛନ୍ତି ବାପା-ଜେଜେ
କରିଛନ୍ତି ବାପା-ଜେଜେ
ଚାଲ ଆମେ ଦୁହେଁ ଖେଳିବା ଏଇଠି
ସାଇକେଲ ଦେବା ରଖି ,
ଭାରି ବଢ଼ିଆ ଏ ଜାଗାଟା ଲାଗୁଛି
ବିଲକୁଲ ମନଲାଖି ।
ମାରିଆକୁ ଆମ ସାଥିରେ ରଖିବା
ବୁଲାବୁଲି କଲାବେଳେ ,
କେତେ କଉତୁକ କରେ ପରା ସିଏ
ପାଖେ ପାଖେ ଥିଲାବେଳେ ।
ବଲ ଫୋପାଡ଼ିଲେ ଗୋଟାଇ ଆଣିବ
ଆମରି ଇଶାରା ପାଇ,
ବୁଲା ଜୀଵଙ୍କୁ ସେ ଘଉଡ଼ାଇ ଦେବ
ପଛରେ ଗୋଡ଼େଇ ଯାଇ ।
ବଗିଚାରେ ଆମେ ବୁଲାବୁଲି କରି
ତୋଳିକି ଖାଇବା ଫଳ ,
ବାପା କହୁଥିଲେ ଫଳ ଖାଇଲେ ତ
ବଢ଼ିବ ଦେହର ବଳ ।
କେଡ଼େ ଯତନରେ ଏ ଫଳ ବଗିଚା
କରିଛନ୍ତି ବାପା-ଜେଜେ ,
ଚାହିଁଲେ ବି ତାଙ୍କୁ କିଛିଟା ସାହାଯ୍ୟ
କରିପାରିବାଟି ନିଜେ ।
ବି. ନିରୁପମା
ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।