କରିବନି ନାଇଁ ନାଇଁ
କରିବନି ନାଇଁ ନାଇଁ
ତୁମ ପାଇଁ ଯେତେ କବିତା ଲେଖିଲି
ସେସବୁ ହୋଇଲା ବହି
ଆଦରରେ ହାତେ ଧରିଛ କି ନାହିଁ
ଠିକ୍ ରେ ପାରୁନି କହି ।।
ଭାବନା ମୋହର ଥିଲା ଯେତେ ସବୁ
ତୁମ ପାଇଁ କଲି କଥା
ସେସବୁକୁ ତୁମେ ପଢିଛ କି ନାହିଁ
ବୁଝିପାରିନି ମୋ ମଥା ।।
ମୋ ଭଲପାଇବା ସେନେହ ଶରଧା
ଲେଖିଥିଲି କରି ଗୀତ
ଜାଣିନି ସେସବୁ ଯତନେ ସାଇତି
ରଖିଛ କି ନାହିଁ ମିତ ।।
ଛୁଇଁବାକୁ ମନ ଗାଇଥିଲି ଯାହା
ମିଠା ମିଠା ସୁର କରି
ଶୁଣିଛ କି ନାହିଁ ମନ ଦେଇ ବେଳେ
ଭାବୁଛି ଭାବୁକ ପରି ।।
ସାଇତା ସପନ ତୁମ ପାଇଁ ମୋର
ଚିଠି ସବୁ ଥିଲା ହୋଇ
ଜାଣିନି ସେସବୁ ପଢିଛ କି ନାହିଁ
କେଉଁଠି ଦେଇଛ ଥୋଇ। ।।
ମନ ଅଗଣାରେ ଥିଲା ଯାହା ଦିନେ
ସବୁ ତୁମ ହସ ଖୁସି
ନେଇଛ କି ନାହିଁ ଜଣାନାହିଁ ମୋତେ
ଅବା ଯାଇଅଛ ରୁଷି ।।
ବୁଣିଥିଲି ଯାହା ତୁମ ଚଲାପଥେ
ସେସବୁ କେବଳ ଫୁଲ
ଜାଣିନାହିଁ ତୁମେ ବୁଝିଲ କି ଅବା
ବୁଝିଲନି ତା'ର ମୂଲ ।।
ସେତିକି ତ ମୋର କରିବାର ଥିଲା
କରିଛି ମୁଁ ତୁମ ପାଇଁ
କେବେ ମନ ହେଲେ ବୁଝିନେବ ପିଲେ
କରିବନି ନାଇଁ ନାଇଁ ।।