କରିବା ଜନ ସେବା
କରିବା ଜନ ସେବା
ଗ୍ୟାସ ଚୁଲିଟି ମାଟି ଚୁଲିକୁ,
କହୁଛି ଧିରେ ହସି,
ମୋଅରି ସରି ହେବୁନି ତୁହି,
ମାଟିରେ ଅଛୁ ବସି।
ରୂପ ଯେ ମୋର ଚିକିଚିକିଆ
ଜଳେ ଦାମି ଇନ୍ଧନେ,
ମାଟିରେ ଗଢା ଚେହେରା ତୋର,
ଧୂଆଁ ଛାଡୁ ଗଗନେ।
ପରିବେଶ ଯେ ଦୂଷିତ ହୁଏ,
ତୋହରି ପାଇଁ ବେଶି,
ଜଳୁଛୁ ତୁହି କାଠ ପତରେ,
କୁଟା ତ କେବେ ଘଷି।
ଭାତ ତିଅଣ କେତେ କଅଣ,
ରାନ୍ଧେ ଅତି ଯତନେ,
କଳା କୋତରା ହୁଏନି କେହି,
ଖାଆନ୍ତି ଖୁସି ମନେ।
ସରକାର ଯେ ରଖେଇ ଦେଲେ,
ମତେଲୋ ଘରେ ଘରେ,
ନାଲି ଟାଙ୍କିଟି ଯୋଗାଏ ଜାଳ,
ଥାଏ ମୋର ସାଥିରେ।
ଏତକ ଶୁଣି ମାଟି ଚୁଲିଟା,
ଖୋଲିଲା ତାର ପାଟି,
କହିଲା ଜାଣୁ ମୁଁ ରାନ୍ଧିଦେଲେ,
ଖାଆନ୍ତି ଲୋକେ ଚାଟି।
ତୋ ରାନ୍ଧଣା ସୁଆଦ ନୁହେଁ,
କାହିଁ କରୁ ଗରବ,
ଖୋଜା ପଡେ ମୁଁ ଭଲ ଦିନରେ,
ବାହା ବ୍ରତ ପରବ।
ଆଣିଲେ ସିନା ଘରକୁ ତୋତେ,
ମାଗଣା ଟେକି ଧରି,
ହେଲେ ଗରିବ ତୋଅରି ଟାଙ୍କି
ପାରଇ ନାହିଁ ପୁରି।
ସାଥିଟି ତୋର ଗଡୁଛି ଘରେ,
ହଉଛି ଟଣ ଟଣ,
କି ହେବ କହ ସରକାର ଟା,
ଯୋଗାଇଦେଲେ ପଣ।
ଦାମିକା ତୁହି ସଭିଙ୍କ ଘରେ
ପାରିବୁ ନାହିଁ ରହି,
ନ ଥିଲେ ମୁହିଁ ଗରିବ ଜନେ,
ଭୋକେ ଯାଆନ୍ତେ ଶୋଇ।
ତୋର ଆଗରୁ ଅଛି ଲୋ ମୁହିଁ,
କାହିଁ କେତେ କାଳରୁ,
ଏବେ ଏବେ ତୁ ଦୁନିଆ ଦେଖୁ,
ଫୁଟାଣି କେତେ ମାରୁ।
ଏତକ ଶୁଣି ଗ୍ୟାସ ଚୁଲାଟି,
ଟିକିଏ ଗଲା ଥମି,
ମୁହଁ ଫୁଟାଣି କମିଲା ତାର,
କହିଲା ସେ ନରମି।
ଭୋକିଲା ଲୋକ ଭୋକ ମାରିବା
ଅଟେ କାମ ଆମର,
ଧନୀ ଗରିବ ଯା'ବଳେ ଯିଏ,
ରଖେ ଘରେ ନିଜର।
ଆଜିଠୁ ଆମେ ପର ହିତରେ,
ନିଜକୁ ଜାଳି ଦେବା,
ଦୁଇ ସଙ୍ଗାତ ହୋଇଣ ଆମେ
କରିବା ଜନ ସେବା।
******
ପ୍ରୀତିପ୍ରିୟା ମହାନ୍ତି
ଶିକ୍ଷୟିତ୍ରୀ
ମୟୂରଝାଲିଆ,ରଣପୁର
ନୟାଗଡ଼
