କୋଣାର୍କ
କୋଣାର୍କ
କାରୁକାର୍ଯ୍ୟ ପୂର୍ଣ୍ଣ କୋଣାର୍କର ଶୋଭା
ଦର୍ଶନେ ଆନନ୍ଦ ଭରେ
କେହି କେବେ କୁହ ଭାବିଛ କି ଥରେ
ମନ ତା' କାହାକୁ ଝୁରେ ?
ଜାତିଭାଇ ମାନ ହୃଦୟରେ ରଖି
ଧରମା ଜୀବନ ଦେଲା
ଉତ୍କଳର ସିଏ ଯୋଗ୍ୟ ସୁତ ରୂପେ
ଇତିହାସ ରଚିଗଲା ।
କାରିଗର ସିନା ଗଢ଼ିଦେଲେ ହସ୍ତେ
ବିଶାଳ ସ୍ଥାପତ୍ୟ କୀର୍ତ୍ତି
ପରିବାରଠାରୁ ଦୂରେ ଦୂରେ ରହି
ସମୟ ଯାଇଛି ବିତି ।
ଦିବାକରଙ୍କର ତେଜଭରା କରେ
ଦେହରୁ ନିଗାଡି ଝାଳ
ପଥରକୁ ଦେଲେ ଜୀବନ୍ତ ସ୍ୱରୂପ
ଖଟାଇ ନିଜର ବଳ ।
ନିଶୀଥରେ ନିତି ପ୍ରାଣପ୍ରିୟା ସ୍ପର୍ଶ
ସପନେ ନିଜର କରି
ଉତ୍କଳର କଳା ନିଦର୍ଶନ ତୋଳି
ସାଜିଲେ ଜଗତେ ସୁରି ।
ମନତଳେ ତାଙ୍କ ଯେତେଯେତେ ବ୍ୟଥା
ସମାଧି କରିଲେ ହୃଦେ
ଅସୁମାରି ଆଶା ଶବ ସାଜି କରି
ଶୋଇଲେ ନିଇତି ନିଦେ ।
ଶିଳ୍ପୀକୁଳ ତୁମ୍ଭ କାରିଗରୀ ବିଦ୍ୟା
ଆଶ୍ଚର୍ଯ୍ୟ ଚକିତ କରେ
ଦେଶପ୍ରୀତି,ସେବା,ତ୍ୟାଗ ଗୁଣରାଜି
ମନରେ ପ୍ରେରଣା ଭରେ ।
ପର୍ଯ୍ୟଟକ ନିତି ଆସୁଛନ୍ତି ଧାଇଁ
କଳାରେ ଆକୃଷ୍ଟ ହୋଇ
ଅଶ୍ରୁସିକ୍ତ ନେତ୍ରେ କୋଣାର୍କ ସ୍ମରୁଛି
ନିର୍ମାତାଙ୍କ ଗାଥା ଗାଇ ।
