କଳ୍ପ କଳିକା
କଳ୍ପ କଳିକା
ବିହ୍ୱଳ ଆଖି ମୋର ଆଙ୍କିଥିଲା
ସ୍ମୃତିର ଏକ ଅଲିଭା ଛବି,
ସେଇ କଳ୍ପ ଛବି ହୃଦୟ ଦ୍ୱାରକୁ
କରେ କରାଘାତ ବାରମ୍ବାର,
ସୃଜନ ନିମଜ୍ଜିତ ଶିଳ୍ପୀଟିଏ
ଲୟ ତାଳରେ ଯେପରି ମନ୍ତ୍ର ମୁଗ୍ଧ,
ନିମଜ୍ଜିତ
ନିହାଣ ମୁନରେ ସୃଜି ଚାଲିଥାଏ
ମାନସ କନ୍ୟା ଅବା ମାନସୀ,
ଷୋଡ଼ଶୀ ରୁପସୀ
ଚାହାଣୀ ଠାଣିରେ
ବିଶ୍ଵାମିତ୍ର ଋଷିବି
ହେବେ ଆନମନା
ଯୋଗୀ ମହାତୋପୀ
ହେବେ ପଥ ଭ୍ରଷ୍ଟ
ସତେକି ଆଂକୁଛି ସେ
ମନର ମାନସୀ !!
ରୂପ ଦେଉ ଥିଲା
ନିଜ ଅନୁଭବେ,
ନିହାଣ ମୁନର ଶବ୍ଦରେ
ତରଙ୍ଗାୟିତ ହେଉଥିଲା
ଆବିଷ୍ଟ ସଂଗୀତ,
ସେ ମୂର୍ଚ୍ଛନା ରେ
ଅସୁମାରୀ ଉନ୍ମାଦନା
ବିରହ ବିଦଗ୍ଧ ବିଗଳିତ ଅଶ୍ରୁ
ଧାର ଧାର ହୋଇ
ଝରି ପଡୁଥିଲା ପାଷାଣ ମୂର୍ତ୍ତିରେ,
ବେଦନା ର ବୈଖରୀ
ଗୁମୁରି ଗୁମୁରି ଶୁଭୁଥିଲା
ମନର ନିଭୃତ କୋଣରୁ,
ଠକ ଠକ ଶବ୍ଦରେ
ଅନୁରଣିତ ହେଉଥିଲା
ଭାବନାର ପ୍ରତିଟି ଶବ୍ଦ
ଏକାକାର ହୋଇ
ମିଶି ଯାଉ ଥିଲା
ପ୍ରସ୍ତର ବୁକୁରେ,
ସତେ ଯେମିତି
ଅଶ୍ରୁ ସ୍ନାତା ମୂର୍ତ୍ତି
କିଛି କହିବ କହିବ ହୋଇ
କହି ପାରୁନି, କିନ୍ତୁ
ଶିଳ୍ପୀର ଅହେତୁକ ଯନ୍ତ୍ରଣା ରେ
ସେ ମଧ୍ୟ ଜର୍ଜରିତ, ସନ୍ତାପିତ,
ଭାବ ବିହ୍ଵଳିତ ହୋଇ ଦେଖୁଥିଲି,
ସେ ମୂର୍ତ୍ତି କୁ.... ଶିଳ୍ପୀକୁ !
କିନ୍ତୁ !ହାୟ, ପାରିଲିନି ଜାଣି
କାହାର ସେ ମୂର୍ତ୍ତି ??
କେଉଁ ଦେବୀ ନା ମାନଵୀ ର !
ହସ୍ତରେ ଥିଲା ଗୋଲାପ,
ଦର ଫିଟା କବରୀରୁ
ଝରି ପଡୁଥିଲା ଫୁଲ ପାଖୁଡା
ଅଧର ରେ ଲାଖି ରହି ଥିଲା
ସ୍ମିତ ହାସ୍ୟ,
ଅଧା ଗଢା ମୂର୍ତ୍ତିରେ
ରହି ଗଲା ମୋର
ଅଧା ଭାବନା,
ସମୟର ଗଡ଼ାଣି ସୁଅରେ
ଫେରି ଗଲି ଗନ୍ତବ୍ୟ ସ୍ଥଳେ ll
