କଳଙ୍କିନୀ
କଳଙ୍କିନୀ
ମୁଁ ଆଜି
ମୁହଁକୁ ଲୁଚାଇ
ଗୁମୁରି ଗୁମୁରି
ଘରର ଚାରିକାନ୍ଥ ଭିତରେ କାନ୍ଦୁଛି।
ମୋ ଆଖିରୁ ପୋଛିବାକୁ
ବୋହୁଥିବା ଲୁହକୁ
ଆସନ୍ତିନି କେହି
କାହିଁକିନା ........
ମୁଁ ପ୍ରେମ ପାଗଳିନୀ।
"ପ୍ରେମ" ମାନେ ଏଠି
ଏକ ନଷ୍ଟଚରିତ୍ରର ନାମ,
ଯିଏ ପ୍ରେମ କରେ
ସେ ହରାଇ ଥାଏ ସବୁ
ଏଠି ଦେଖାଯାଏନି
ରାଧାକୃଷ୍ଣଙ୍କ ପ୍ରେମ
ଅବା କଇଁ ସଙ୍ଗେ
ଜହ୍ନର ପ୍ରେମକୁ।
ବଦଳି ଯାଇଛି ପ୍ରେମର ସଂଜ୍ଞା
ଏଠି ପ୍ରେମର ଅନ୍ୟନାମ
ଦେହ ବୋଲି ହୁଏ ମୁଖରିତ।
ଗାଁ ପୋଖରୀ ତୁଠରୁ
ଭାଗବତ ଟୁଙ୍ଗି ଅବା
ଗଞ୍ଜେଇ ଖଟିରେ
ହେଉଥାଏ ଚର୍ଚ୍ଚା,
ପ୍ରେମ ଏଠି ପାପ
ପ୍ରେମ ଏଠି କଳଙ୍କ
କାନ୍ଥରେ ବାଡରେ ଲେଖାହୁଏ
ଅଙ୍କା ହୁଏ ପ୍ରେମର ଖବର।
କଳଙ୍କରେ କଳଙ୍କିନୀ ସାଜେ
ହତଭାଗିନୀ "ମୁଁ",
କାହିଁକି ଯେ ପ୍ରେମ କଲି
ହେଲି କଳଙ୍କିନୀ
ଦୋଷ ନୁହେଁ ପ୍ରେମିକର
ପ୍ରେମିକା ଅଟଇ
ସବୁରି ମୂଳ।
ବାହାରକୁ ବାହାରିଲେ
ମିଳଇ ଲାଞ୍ଛନା
ଆଖିର ଚାହାଣି
ଆଉ ଟୁପୁର ଟାପୁରୁ
ସତେ ଯେମିତି କଏଦି ଖାନାରୁ
ଖସିଆସିଥିବା ମୁଁ ଏକ କଇଦୀ।