STORYMIRROR

Tikeshwar Sahu

Others

4  

Tikeshwar Sahu

Others

କଳଙ୍କ

କଳଙ୍କ

1 min
205


କଳଙ୍କର ଟିକା ମଥାରେ ଆଙ୍କିଦେ

ତୋତେ ଭଲ ପାଏ ବୋଲି,

କହୁଥିବେ ଲୋକେ ଜଗାର ପ୍ରେମରେ

ପାଗଳ ହୋଇଛି ଖାଲି ।୧।

ଏମିତି କଳଙ୍କ ଟିକା ପିନ୍ଧିଥିଲା

ଗୋପପୁର ରାଧାରାଣୀ,

ମୀରା ବାଈ ହେଲା ଶ୍ରୀକୃଷ୍ଣ ପ୍ରେମରେ

ସାଜିଥିଲା କଳଙ୍କିନୀ ।୨।

ଏମିତି କଳଙ୍କ ସମାଜ ଗୌରବ

ଦେଖାଇଲା ନୂଆ ବାଟ,

ଗୋପପୁର ଦାଣ୍ଡ କଦମ୍ବର ମୂଳ

ସାଥିରେ ଯମୁନା ଘାଟ ।୩।

ମଣିଷ ବୁଝେନି କଳଙ୍କର ମୂଲ

ନିଜ ବିବେକକୁ ଭୁଲି,

ସମାଜ ବକ୍ଷରେ ଛୁରୀ ମାରିଚାଲେ

ଗରବ ଦମ୍ଭକୁ ଖୋଲି ।୪।

ନାରୀ ନିର୍ଯ୍ଯାତନା ଧର୍ଷଣ ଦୁଷ୍କର୍ମ

ବଢ଼ିଚାଲେ ସମାଜରେ,

ନୀରିହ ଅବଳା ବଳି ପଡ଼ିଯାଏ

ବିନା ଦୋଷେ ରାସ୍ତାଟିରେ ।୫।

ପୁରୁଷ ସମାଜ ଗରବରେ କହେ

ଦେଖାଇ ଦମ୍ଭର ଛାତି,

କିନ୍ତୁ ହାରିଯାଏ କାନ୍ଦି କାନ୍ଦି ମରେ

ନାରୀଜାତି ଦିନରାତି ।୬।

ନାରୀର ମଥାରେ କଳଙ୍କର ଟୋପା

ଲଦିଦିଏ ଏ ସମାଜ,

ମୁହଁ ଲୁଚା ଦେଇ କଳଙ୍କକୁ ବୋହି

ମରି ମରି ହୁଏ ସଜ ।୭।

ଚନ୍ଦ୍ରରେ କଳଙ୍କ ଚନ୍ଦ୍ରମା ଚାନ୍ଦିନୀ

ଅତି ଗୌରବର କଥା,

ଚାନ୍ଦିନୀ ସୁନ୍ଦର କଳଙ୍କ ସିନ୍ଥିରେ

ନୁହେଁ ନାରୀଟିର ମଥା ।୮।

ସମାଜ ବକ୍ଷରୁ ଦୁଷ୍କର୍ମ କଳଙ୍କ 

ନୁହେଁ ମୋଟେ ଶୁଭଙ୍କର,

ସେ କଳା ଦାଗରେ ସମାଜ ନ ଥରୁ

ଲିଭିଯାଉ ସମାଜର ।୯।

ଅନ୍ୟାୟ ଅନୀତି ଯେତେକ ଦୁର୍ଗତି

କଳଙ୍କର ରୂପ ସ୍ବର,

ତାହାକୁ ଦୂରେଇ ସୁଷମ ସମାଜ

ଲକ୍ଷ୍ୟ ହେଉ ସମାଜର ।୧୦।



Rate this content
Log in