କଳାକୃତିର ଚିହ୍ନ
କଳାକୃତିର ଚିହ୍ନ
ପୂଣ୍ୟଭୂଇଁ ଏଇ ପବିତ୍ର ଉତ୍କଳ
ପଥର କଳାରେ ଶ୍ରେଷ୍ଠ,
କଳା ପ୍ରିୟ ଏହି ଓଡ଼ିଆ ଜାତିଟା
କଳାକୁ ମାନନ୍ତି ଇଷ୍ଟ ।
ନିହାଣ ମୂନରେ ପଥର ଦେହରେ
ପ୍ରସ୍ଫୁଟିତ କଳା ତାଙ୍କ,
ପଥର ଯୋଡେଇ ମନ୍ଦିର ତୋଳାନ୍ତି
ଶିଳ୍ପ ଶାସ୍ତ୍ର ତାଙ୍କ ଅଙ୍କ ।
ଗଜପତି ରାଜା ଉଡୁଥିଲା ଧ୍ଵଜା
ଲାଙ୍ଗୁଳା ନୃସିଂହ ଦେବ,
ଚିନ୍ତା କଲେ ଦିନେ ଚନ୍ଦ୍ରଭାଗା ତୀରେ
ସୂର୍ଯ୍ୟ ମନ୍ଦିରଟେ ହେବ ।
ବାରଶ ବଢ଼େଇ ନିଯୁକ୍ତ କରିଲେ
ବାର ବର୍ଷ କଣ୍ଟ ଦେଲେ ,
ବଢ଼େଇମାନଙ୍କ ମୁଣ୍ଡ କାଟ ହେବ
କାର୍ଯ୍ୟ ଅସମ୍ପୂର୍ଣ୍ଣ ଥିଲେ ।
ବାରଶ ବଢେଇ ପଥର ଯୋଡେଇ
ମନ୍ଦିରଟି ତୁମ କଲେ,
ଗଠନ କାର୍ଯ୍ୟାନ୍ତେ ଭାଳେଣି ପଡିଲା
ଚୂଳି ମାରି ନପାରିଲେ ।
ଧର୍ମପଦ ରୂପେ ବିରାଜ ହୋଇଣ
ମନ୍ଦିର ଚୂଳ ମାରିଲ,
ସମୁଦ୍ର ଗର୍ଭରେ ଝାସ ଦେଇ ପ୍ରଭୁ
ଶିଳ୍ପୀ କୁଳ ରକ୍ଷା କଲ ।
ସମୟ ଚକ୍ରରେ ମନ୍ଦିର ଚୂଳଟି
ହୋଇ ଅଛି ଆଜି ଭଗ୍ନ,
ଭଗ୍ନ ଅବଶେଷ ପଡ଼ି ଅଛି ତହିଁ
ସେ କଳାକୃତିର ଚିହ୍ନ ।
ସେହି କଳାକୃତି ଦେଖିଯିବା ପାଇଁ
ବାରମ୍ବାର ହୁଏ ମନ ,
କର୍ପୂରଟି ସିନା ଉଡ଼ି ଚାଲି ଗଲା
କନାଟି ରହିଛି ଚିହ୍ନ ।
