କଳା ସାଆନ୍ତ
କଳା ସାଆନ୍ତ
ନୀଳ ଉର୍ମିମାଳା ଉତ୍ଦୁଲିତ ହୋଇ
ବଖାଣୁଛି ତବ ଗାଥା,
ପତିତପାବନ ମଳୟ ତରଂଗେ
ଶୁଣାଉଛି ଦୂରେ କଥା ॥
ଅର୍ଦ୍ଧ ସମାନ୍ତର ବାହୁଦ୍ୱୟ ତୁମ
ସମ କରୁଣା ବାଣ୍ଟଇ,
ତୁମେ ପରା ସେହି କାଳିଆ ସାଆନ୍ତ
ଭକତର ଭାବଗ୍ରାହୀ ॥
ତୁମେ ଦାରୁବ୍ରହ୍ମ ତୁମେ ଶବ୍ଦବ୍ରହ୍ମ
ଶୁନ୍ୟବ୍ରହ୍ମ ଏ ଜଗତେ,
ତୁମେ ନିରାକାର ତୁମେ ଅଣାକାର
ଲୀଳା କରୁଛ ନିରତେ ॥
ସମୁଦ୍ର କୂଳିଆ ହେ ନୀଳାଂଚଳିଆ
ବଡ ଦେଉଳ ନିବାସୀ,
ଆରତ ଭଂଜନ ଆହେ ଜନାର୍ଦ୍ଦନ
ଭକତର ବାରଣାସୀ ॥
ଜଗତରେ ବଡ ବଡ ତୁମ ଗଡ
ବଡ ତୁମ ବଡ ଦାଣ୍ତ,
ବଡ ଦେଉଳରେ ରତ୍ନ ସିଂହାସନେ
ଧରିଛ ଅମୃତ ଭାଣ୍ତ ॥
ଦୟଣା ତୁଳସୀ ବାସ ଚନ୍ଦନରେ
ବାସ ବୃନ୍ଦାବନ ଭେଇ,
ବଡ ଭାଇ ସହ ଭଉଣୀକୁ ନେଇ
ଲୀଳା କରୁଛ ଗୋସାଇଁ ॥
ଆନନ୍ଦ ବଜାରେ ଅବଢା ବାଣ୍ଟୁଛ
ଭେଦଭାବ କିଛି ନାହିଁ,
ବାଇଶି ପାହାଚ ସଜାଇ ଦେଇଛ
ପାତକ ନାଶିବା ପାଇଁ ॥
ବରଷକେ ଥରେ ନନ୍ଦିଘୋଷ ପରେ
ଭକ୍ତକୁ ଦିଅ ଦର୍ଶନ,
କି ଗୁଣ ଗାଇବି ବିଶ୍ୱ ନିୟତାଂକ
ଅଟେ ମୁଁ ଛାର ଅଜ୍ଞାନ ॥
