କିଏ ସେ ଯଶୋଦା କିଏ ସେ ନନ୍ଦ
କିଏ ସେ ଯଶୋଦା କିଏ ସେ ନନ୍ଦ
ଦ୍ୱାପରର ଦୃଶ୍ୟ ସେନେହର ସ୍ପର୍ଶ
ଜାଣେ ଜଡଠୁ ଚେତନା
ନନ୍ଦର ନନ୍ଦନ ଯଶୋଦାର ଧନ
ଅଟଇ କାଳିଆ ସୁନା
କିଏ ସେ ଯଶୋଦା ସହି କେତେ ବାଧା
ପାଇଛି କାହ୍ନୁଙ୍କୁ କୋଳେ
କିଏ ସେହି ନନ୍ଦ ପୁତ୍ର ସ୍ନେହେ ଅନ୍ଧ
ସମୟର ଅନ୍ତରାଳେ
କହୁଛି ବୁଝାଇ କ୍ଷୁଦ୍ର ବୁଦ୍ଧି ମୁହିଁ
ଶୁଣ ପାଠକ ମଣ୍ତଳୀ
ଦୂର ହେବ ଦ୍ୱନ୍ଦ କେ ଯଶୋଦା ନନ୍ଦ
ଅବଶୋଷ ଯିବ ଟଳି
ଗୋଟିଏ ଗ୍ରାମରେ ସ୍ନେହ ପ୍ରେମ ଭରେ
ରହୁଥିଲେ ଦୁଇ ପ୍ରାଣୀ
ନାମ ତାଙ୍କ ଦ୍ରୋଣ ନିଃସନ୍ତାନ ପଣ
ଧରା ତାଙ୍କ ଘରମଣି
ଭିକ୍ଷା ବୃତ୍ତି କରି ଭାଗ୍ୟକୁ ଆଦରି
ନିତି ପ୍ରଭୁ ପାଦେ ଧ୍ୟାନ
ପତି ପତ୍ନୀ ଦୁହେଁ ନିଆରି ନିର୍ଣ୍ଣୟେ
ଥିଲେ ଭାରି ନିଷ୍ଠାବାନ୍
ପାଞ୍ଚ ଘରୁ ଭିକ୍ଷା ନୁହଁଇ ଅଧିକା
ମିଳୁକି ନମିଳୁ ଦାନା
ନୁହେଁ ଅସନ୍ତୁଷ୍ଟ ସର୍ବଦା ସନ୍ତୁଷ୍ଟ
ପିନ୍ଧି ପଛେ ଚିରା କନା
ଚାରି ଦିନ ହେଲା ଦି ପେଟ ଭୋକିଲା
ଭିକ୍ଷା ମାଗିଗଲେ ଦ୍ରୋଣ
ଏବେଳେ ଯା ହେଲା ବିହି ଭିଆଇଲା
ଆହେ ମୋ ପାଠକ ଗଣ
ସନ୍ୟାସି ଯୁବକ ମହତ ମହକ
କାନ୍ଧ ଭାରେ ପିତା ମାତା
ଡାକ ପକାଇଲେ ଶୁଣ ଟିକେ ଭଲେ
କିଏ ଏ ଘରର କର୍ତ୍ତା
ଦିଅ ଖାଦ୍ୟ ଗଣ୍ତେ ବାପା ମାଅ ତୁଣ୍ତେ
ବହୁ ଦିନରୁ ଭୋକିଲା
ଶୁଣି ଏହା ଧରା ଦୁଃଖିନୀ ବିଚରା
ଧର୍ମ ସଙ୍କଟେ ପଡିଲା
ଘରକୁ ଡାକିଲା ଆସନ ପାରିଲା
କହିଲା ଅପେକ୍ଷା କର
ସ୍ୱାମୀ ମୋର ଦ୍ରୋଣ ଭିକ୍ଷାର୍ଥେ ଗମନ
ଅଇଲେ ଦେବି ଆହାର
ବିତୁଛି ସମୟ ମରଣଯେ ଥୟ
ଶୀଘ୍ର ନଦେଲେ ଆହାର
ହେଜି ଏହି କଥା ଧରା ମନେ ବ୍ୟଥା
ଖାଦ୍ୟାର୍ଥେ ଗଲେ ବାହାର
ରାସ୍ତା ଜନଶୂନ୍ୟ ଗୋଟିଏ ଦୋକାନ
ତହିଁରେ ଯୁବକ ଥିଲେ
ଦିଅ ଗଣ୍ତେ ଖାଦ୍ୟ ଭୋକାତୁରେ ବୃଦ୍ଧ
ଧରା ଧିରେ ମାଗୁଥିଲେ
ଦେଲା ସିନା ଖାଦ୍ୟ ହାଏସେ ନିର୍ବୋଧ
ମାଗିଲା କଉଡି ଦିଅ
କଉଡି ନଦିଅ ଅଙ୍ଗଦାନ ଦିଅ
ଯାଚ ତୁମ ବକ୍ଷ ଦ୍ୱୟ
ଧାରୁଆ ସେ ଛୁରୀ ନିଜ ବକ୍ଷ ଚିରି
କାମୁକକୁ ଯାଚିଦେଲେ
ରକ୍ତେ ଭିଜା ଦେହେ ପାଦର ଅଥୟେ
ଖାଦ୍ୟ ନେଇ ପରଶିଲା
ଧରା ପହଞ୍ଚିଲେ ଦ୍ରୋଣବି ଅଇଲେ
ରକ୍ତେ ଭିଜୁଥିଲା ଭୂଇଁ
ଚେତା ଶୂନ୍ୟେ ଧରା ସ୍ୱାମୀ ଦୁଃଖେ ଭରା
ଦର୍ଶନ କଳା ଗୋସାଇଁ
ଉଠ ମାଗୋ ଧରା ତୋ ତ୍ୟାଗ ପସରା
ମାନିଗଲା ମୋର ମନ
ମୋ ଆହାର ପାଇଁ ବକ୍ଷ ଚିରିଦେଇ
ଅରଜିଲୁ ଶ୍ରେଷ୍ଠ ସ୍ଥାନ
ମୁଁ ସେହି ସନ୍ନ୍ୟାସୀ ତୋ ତ୍ୟାଗର ସ୍ପର୍ଶି
ମୋ ଲାଗି ଚିରିଲୁ ସ୍ତନ
ତୋ ସ୍ତନର କ୍ଷୀର ହେବ ମୋ ଆହାର
ସତ ଯଦି ଆର ଜନ୍ମ
ପ୍ରଭୁ ଆଉଁଷିଲେ ଧରା ଚେତା ହେଲେ
କଅଁଳି ଉଠିଲା ସ୍ତନ
ଦ୍ବାପରରେ ଦ୍ରୋଣ ନନ୍ଦ ହେଲେ ଜାଣ
ପ୍ରଭୁ ନନ୍ଦର ନନ୍ଦନ
ଅରଜିବା ସ୍ଥାନେ ଧରା କୋଟି ପୁଣ୍ୟେ
ଦ୍ୱାପରରେ ଯଶୋମତୀ
ବକ୍ଷୁ ଦେଲେ କ୍ଷୀର କହ୍ନେଇ ଅଧର
କୀର୍ତ୍ତି ହେଲା କିମ୍ବଦନ୍ତୀ ।
ଦାଶରଥି ସାହୁ
କଳମ୍ବ/ଗଜାଂମ
