କି ବା ତାଙ୍କର ଦୋଷ
କି ବା ତାଙ୍କର ଦୋଷ
ଆସିଗଲେ ବାବା ମାରିବେ ଡ଼ାବା
ସଭିଙ୍କୁ ଭକୁଆ କରିବେ
ନିଜକୁ ନିଜେ ଭଗବାନ କହି
ରାସଲୀଳା ପୁଣି କରିବେ ।
ସିମେଣ୍ଟ ଗାଈରୁ ଖିର କାଡିବେ
ଆଣ୍ଠୁଆ ଗୋପାଳ ହୋଇବେ
ମାନ୍ୟବର ମାନ୍ୟଵର କହି
ବଡ଼ ବଡ଼ କଥା କହିବେ ।
ରଙ୍ଗ ମହଲରେ ନାନା ରଙ୍ଗ କରି
ରାଜ ଉଆସରେ ରହିବେ
ବିଳାସ ବ୍ୟସନେ ଜୀବନ କଟେଇ
ଭକ୍ତଙ୍କର ମନ ମୋହିବେ ।
ଆମେ ତ ଭକୁଆ ତନ ମନ ଦେଇ
ଭଗବାନ ବୋଲି ମାନିବା
ନିଜ ବାପା ମା'ଙ୍କୁ ପଛରେ ପକେଇ
ବାବାଙ୍କ ପଛରେ ଧାଇଁବା ।
ଆମେ ତ ଶିଖିତ ପାଠ ଶାଠ ପଢି
ଭଗବାନ ବୋଲି ମାନିବା
ତାଙ୍କୁ ଦୋଷ ଦେଇ କି ଲାଭ ଅଟଇ
କା' ଆଗେ ଯାଇ କହିବା ।
ଚାଲି ଜାଣୁନାହୁଁ ଝୁଣ୍ଟି ପଡୁଅଛୁ
କହୁଛୁ ବାଟର ଦୋଷ
ଆମେ ତ ସମସ୍ତେ ବାବା କହିଲେ
କିବା ତାଙ୍କର ଦୋଷ ।