ଖୋଲା ଆକାଶ
ଖୋଲା ଆକାଶ
କେତେଦୂରେ ସୁନୀଳ ଆକାଶ,
ତା ବୁକୁରେ ଚୁନାଚୁନା ତାରା।
ତାଙ୍କର ସେ ଖିଲିଖିଲି ହସ।
ମିଶିବାକୁ ତାଙ୍କ ସଙ୍ଗେ ଭାରି ଭଲ ଲାଗେ।
ଖୋଲା ଏକ ବହିପରି ପଢିହୁଏ ତାଙ୍କୁ।
ଘରର ଛାତ ଉପରେ ଏକୁଟିଆ ବସି,
ସେମାନଙ୍କୁ ଦେଖିଦେଲେ,
ଅହଙ୍କାର ସର୍ବସ୍ଵ ଏ ଦୁନିଆଁର ପରିସୀମା ଡେଇଁ,
ଚାଲିଯାଏ ମୁଁ ନିଜେ ଅନେକ ଦୂରକୁ।
ଦୂରତା ମୋ ବାଟ ଓଗାଳେନି।
ସମ୍ପର୍କ ମୁଁ ଯୋଡିଦିଏ ସେମାନଙ୍କ ସଙ୍ଗେ।
ମନଭରି ପିଇଯାଏ ଆଞ୍ଜୁଳା ଆଞ୍ଜୁଳା ,
ତାଙ୍କର ସେ ମନଖୋଲା ହସ ।
ଭରିଦିଅନ୍ତି ସେମାନେ ମୋ ମନର ଶୂନ୍ୟତାକୁ,
ସେମାନଙ୍କ ହସ ପସରାରେ,ସେମାନଙ୍କ ପୂର୍ଣ୍ଣତାରେ।
ପୂର୍ଣ୍ଣ ଚାହେଁ ସବୁବେଳେ ଶୂନ୍ୟତାକୁ କରିବାକୁ ପୂର୍ଣ୍ଣ।
ପୂର୍ଣ୍ଣ ସଦାକାଳେ ପୂର୍ଣ୍ଣ,ଯେତେ ଦେଲେ ସରେ ନାହିଁ।
ଦେବାର ତ ନାମ ହିଁ ପୂର୍ଣ୍ଣତା!
ଶୂନ୍ୟତା ତା ପାଖ ମାଡେ ନାହିଁ।
ଉତ୍ତପ୍ତ ଧରଣୀ ବୁକୁ ପୂର୍ଣ୍ଣକରି ଶ୍ରାବଣବାରିରେ,
ବର୍ଷା କେବେ ହାଲିଆ ହୁଏନା,
କମେନାହିଁ ତା ହୃଦର ଶୀତଳତା।
ସବୁଦିନେ ପ୍ରାତକାଳେ ସିନ୍ଦୁରା ଫାଟିଲେ,
ଟିକି ଟିକି ଘାସଫୁଲ ପରେ,
କଅଁଳ ସୂରୁଜ ବୁଣେ ନୂଆ ଆଶା ନୂଆ ସମ୍ଭାବନା।
ଫିକା ପଡେନାହିଁ ତାର ସୁନେଲି କିରଣ। କିନ୍ତୁ?
ଯେତେ ଜଳ ନେଲେ ମରୁଭୂମି ,
ତା ଶୋଷ ମେଣ୍ଟେନା।
ଆହୁରି ସେ ଚାହେଁ।
ଚାହିଁବାର ନାମ ହିଁ ଶୂନ୍ୟତା।
ଯେତେନେଲେ ମନ ଭରେ ନାହିଁ।
ବେଶି ବେଶି ପାଇବାକୁ ଇଚ୍ଛା।
ମାପି ହୁଏନାହିଁ ତାକୁ,
ଆକାଶର ପରିସୀମା,ସାଗରର ଗଭୀରତା ପରି।
ମୁଁ ନୁହେଁ ମରୁଭୂମି ,ମୁଁ ଅଟେ ଶ୍ରାବଣର ବାରିଧାରା।
ମୁଁ ଅଟେ ସକାଳର ପହିଲି କିରଣ।
ନେବା ମୋର କାମ ନୁହେଁ ଦେବା ମୋର ଧର୍ମ।
ଦେବାପାଇଁ ଆସି ଯଦି, ନ ଦେଇ ମୁଁ ଫେରିଗଲି,
ଆସିବାଟା ଅକାରଣ,ବଞ୍ଚିବାଟା ବୃଥା।
ଯେଉଁ ଉଦ୍ୟେଶ୍ୟରେ ମୋର ସୃଷ୍ଟି ହୋଇଥିଲା,
ତାହା ଯେବେ ପୂରଣ ନକଲି,
ଆସିବାକୁ ହେବ ମୋତେ ବାରମ୍ବାର,
ବାକିଥିବା କାମ ସାରିବାକୁ।
ପୁଣି ସେହି କୀଟ,କୃମି,ନାଳ ଭରା ଜଠର ମଧ୍ୟକୁ।
ଅନ୍ଧକାର କାରାଗାରେ କଏଦୀ ହେବାକୁ।
ଯେଉଁ କାରାଗାରୁ ଦିନେ ,
ମୁକ୍ତ ହୋଇ ଆସିଥିଲି ପୂର୍ଣ୍ଣତାର ରୂପ ନେଇ,
ଶୈଶବର ସରଳତା,ନିଷ୍ପାପତା ନେଇ।
ଶୁନ୍ୟତାକୁ ଚିହ୍ନି ମୁଁ ନଥିଲି।
ନଥିଲା ମୋ ଅଭିଧାନେ ଦେବା ଆଉ ମରିବାକୁ ଭୟ।
ବାଘର ଗର୍ଜନ ଆଉ ସାପର ଫୁକାର,
ଶୁଭୁଥିଲା ସବୁ ମୋତେ ସ୍ନେହ ବୋଳା ମାଆ ଡାକ ଭଳି।
ମୋ ପାଇଁ ସାରା ଦୁନିଆଁଟା ,ଥିଲା ଗୋଟେ ପ୍ରେମର ମନ୍ଦିର।
ମୋ ଭିତରେ ଗଣତନ୍ତ୍ର ହସୁଥିଲା।
ନିଜପର କେହି ନାହିଁ,ମୋ ଆଖିରେ ସମସ୍ତେ ସମାନ।
ମୁଁ କଣ ଜାଣିଥିଲି! ବଡ ହେଲାପରେ,
ମାପିବାକୁ ହେବ ମୋତେ ,
ସବୁବେଳେ ସତ ଠାରୁ ମିଛର ଦୂରତା?
ଜୀବନର ପ୍ରତିକ୍ଷଣ ବଞ୍ଚିବାକୁ ହେବ ମୋତେ,
ବିଷ ପିଇ ମରଣ ଭୟର?
ୟାକୁ କଣ ବଞ୍ଚିବା କହନ୍ତି?
ଦେଇଦେଲେ ସରିଯିବା ଭୟ!
ୟାକୁ କଣ ଜୀବନ କହନ୍ତି?
