ଖୋଜୁଛି ପଥିକ
ଖୋଜୁଛି ପଥିକ
ମାୟା ମୋହ ଘେରା ସଂସାର ମଧ୍ୟରେ
ଆକଳନ ଦୀର୍ଘ ପଥ,
ପଥିକ ଟିଏ ମୁଁ ଖୋଜୁଛି ପଥିକ
ଚାଲିବାକୁ ଧରି ହାତ ।
ତୁମ ଠାରୁ ଯୋଗ୍ୟ ପଥ ପ୍ରଦର୍ଶକ
ଦେଖୁନି ମୋର ନୟନ,
ତୁମ ଆଶ୍ରା ନେଇ ବଢ଼ାଇଛି ପାଦ
ଜାଣେ ମୁଁ ରଖିବ ମାନ ।
ସୁଗମ ଦୁର୍ଗମ ପଥର ଚୟନ
କରି ପାରିବିନି ଯେବେ,
ଅବୋଧ ବିଚାରି ମୋ ହାତକୁ ଧରି
ବାଟ କଢ଼େଇବ ତେବେ ।
ତୁମେ ହୋଇଥିଲେ ପଥ ପ୍ରଦର୍ଶକ
ନଥିବ ଝୁଣ୍ଟିବା ଡର,
ନିର୍ଭୟ ରେ ପାଦ ଆଗକୁ ବଢିବ
ବାଧା ବିଘ୍ନ କରି ଦୂର ।
ତୁମ ଭରସା ରେ ଚାଲୁଥିବି ଯେବେ
ଦ୍ବନ୍ଦର ନ ଥିବ ସ୍ଥାନ,
କଙ୍କରିତ ପଥ ହୋଇଥିଲେ ସୁଦ୍ଧା
ମଣିବି ପୁଷ୍ପ ସମାନ ।
ଚାଲୁ ଚାଲୁ ଯଦି ଥକି ପଡେ କେବେ
ପିଠିରେ ମୋ ଥୋଇ ହାତ,
ସାହସ ଶୀତଳ ସମୀର ପ୍ରବାହେ
କରି ଦେବ ନିୟମିତ ।
ମୋ ଯାତ୍ରା ପଥରେ ତୁମ ପରି ଦକ୍ଷ
ପଥିକ ସାନ୍ନିଧ୍ୟ ପାଇ,
ଅବାଟ କୁ ଯିବା ଆଶଙ୍କା ପାଶୋରି
ବାକି ପଥ ଯିବି ବାହି ।
ଲକ୍ଷ୍ୟ ସ୍ଥଳେ ମୋର ପହଞ୍ଚିବା ଆଗୁ
ଉଡ଼େ ଯେବେ ମୋ ସହସା
ତୁମେ ହିଁ ତ ଏକା ଉଦ୍ଧରି ଧରିବ
ଅଛି ମୋ ଦୃଢ଼ ଭରସା ।
