ଖେଳ ବନାମ ଜୁଆଖେଳ
ଖେଳ ବନାମ ଜୁଆଖେଳ
ସଂଗଠିତ ଦଳେ ଶତ୍ରୁତା ବଦଳେ
କି ସୁନ୍ଦର ଭାଇଚାରା
ଖେଳ କସରତେ ସିନା ଏ ମରତେ
ମୈତ୍ରୀ ଏକତାର ଧାରା ।
ରାଜ୍ୟଯାକ ପିଲା ସାହି ଗ୍ରାମ ଜିଲ୍ଲା
ସ୍ତରରେ ହୁଅନ୍ତି ଦଳ
ଜୟ ପରାଜୟ ପାଇଁ ନାହିଁ ଭୟ
ଖେଳନ୍ତି ଖଟାଇ ବଳ ।
ଭିନ୍ନ ଭିନ୍ନ ସ୍ତରେ ଜିତିଗଲା ପରେ
ଜାତୀୟ ସ୍ତରରେ ଖେଳି
ବିଶ୍ବମଞ୍ଚେ ଯାଇ ସୁସମ୍ମାନ ପାଇ
ଆନନ୍ଦେ ହୁଅନ୍ତି ମେଳି ।
ଯେତେ କିସମର ଖେଳର ସମର
ସବୁଠାରେ ଥାଏ ପ୍ରୀତି
ସଦ୍ଭାବେ ତନ୍ମୟ ହେଲେ ସମନ୍ୱୟ
ଗଢି ଉଠେ ମନ ଜିତି ।
କିନ୍ତୁ ଖେଳ ଏକ ବିଡମ୍ବନା ଦେଖ
ବିପରୀତ ଯା'ର କାମ
ଜୁଆଖେଳ ନାମେ ଯାହା ପରିଣାମେ
ସମାଜେ ଦୁର୍ଦ୍ଦଶା ଆମ ।
ଜଣେ ଜିତିଗଲେ ଅନ୍ୟ କେହି ଭଲେ
ସହିବାକୁ ହୁଏ କ୍ଷତି
କାହା ସର୍ବନାଶ ପୂରାଏ ମନାସ
ରାତାରାତି ଲକ୍ଷପତି ।
ପଇସାର ନିଶା ଯୋଗୁଁ ବଢେ ଈର୍ଷା
ଦ୍ବେଷଭାବ ସିନା ଭରେ
ନରଖିବ ଦ୍ଵନ୍ଦ ବାଛି ଭଲମନ୍ଦ
ବିଚାର କରିବ ଥରେ ।