କେଉଁ ରଙ୍ଗ ଭଲ ଲାଗେ
କେଉଁ ରଙ୍ଗ ଭଲ ଲାଗେ
"କେଡେ ବୋକା !
ଜାଣି ପାରିଲ ନାହିଁ ?
ତୁମ ଘରକୁ ଫେରିବା ଦିନ
ତୁମ ପସନ୍ଦ ରଙ୍ଗର
ଶାଢ଼ୀ ତ ପିନ୍ଧିଥିଲି !"
ସତରେ ଜାଣି ପାରି ନ ଥିଲି
ମତେ ନ କହି କେବେ ମୋ ପସନ୍ଦକୁ
ନିଜ ପସନ୍ଦ କରି ନେଇଥିଲ
ଜାଣି ନ ଥିଲି
ତୁମକୁ କେଉଁ ରଙ୍ଗ ଭଲ ଲାଗେ
ଏମିତି କି କି କି ନାଆଁ ରେ
କୁହନ୍ତି ମ ରଙ୍ଗ ସବୁକୁ ?
"ଜାଣି ପାର ନାହଁ , ବୁଦ୍ଦୁ?
ସେ ମହରୁନ,
ବଟଲ ଗ୍ରୀନ ଆଉ ବେବୀ ପିଙ୍କ
ରାଣୀ ପିଙ୍କ
ସେ ଶିଉଳି ରଙ୍ଗ
ସେ ସିମେଣ୍ଟ ରଙ୍ଗ
ସେ କଫି ରଙ୍ଗ
ଚକଲେଟ କଲର
ସେ ଅଫ ହ୍ଵାଇଟ
କ୍ରିମ କଲର
କପର ସଲଫେଟ କଲର"
ତୁମକୁ ଧଳା ବି ସୁନ୍ଦର ଲାଗେ
କଳା ବି ସୁନ୍ଦର ଲାଗେ
ଅଶୁଭ ଚିନ୍ତା ଛୁଉଁ ଛୁଉଁ
କଳା ଆଉ ଧଳା ରଙ୍ଗକୁ
ବାରଣ କରି ଥାଅ
କେବେ ତୁମେ କୌତୁହଳ ସହ ପଚାର,
"ଆଜି ଜାଣି ପାରୁନ ?
କିଛି ଗୋଟେ ପରିବର୍ତ୍ତନ ଲକ୍ଷ୍ୟ କରୁନ ?"
ସମ୍ଭାବିତ ପରିବର୍ତ୍ତନକୁ
ଘରର ସାଜସଜ୍ଜାରେ ଖୋଜେ
କାନ୍ଥରେ ବାଡ଼ରେ ଖୋଜେ
ସତରେ ଦେଖି ପାରେନା
ତୁମେ ଦୃଷ୍ଟି ଆକର୍ଷଣ
କରିବାକୁ ଚାହୁଁଥାଅ
ତୁମ
ହାତ ଗୋଡ଼ ନଖରେ ଲଗେଇଥିବା
ଇନ୍ଦ୍ରଧନୁଷି ରଙ୍ଗର ନଖ ପାଲିସିକୁ
ମୁଁ ତ କେବଳ
ତୁମ ମୁହଁ ଦେଖେ
ତୁମ ହସ ଦେଖେ
ମୁଁ ତ ଦେଖେ
ତୁମକୁ କେବଳ ଗୋଟିଏ ରଙ୍ଗରେ
ପ୍ରେମ ରଙ୍ଗରେ
ବହୁତ ହସିଥିଲି ପ୍ରେମର
ଏ ଗୋଳାଗୋଳି ଖେଳକୁ ନେଇ
ବାହାଘର ଟ୍ରଙ୍କ ଭିତରର
ତୁମ ସେ ରଙ୍ଗ ଛାଡୁଥିବା ଶାଢ଼ୀଟି
କିପରି ମୋ ଅଫିସ ଯିବା ସାର୍ଟକୁ
ରଙ୍ଗେଇ ଦେଇଥିଲା
କେଉଁ ରଙ୍ଗ ଭଲ ଲାଗେ ତୁମକୁ?
ସାର୍ବଜନୀନ କରିଦିଏ ରୁଚିକୁ ମୋର
'କିଛି ବି ଦେଇ ଦିଅ' କହି
ସତରେ ଜାଣି ନ ଥିଲି
ରଙ୍ଗରେ, ପସନ୍ଦରେ, କଥାରେ
ନିର୍ଦ୍ଦିଷ୍ଟ ନ ହେବା ଭିତରେ
କେମିତି ଘଟିଥାଏ
ପ୍ରେମର ମୃତ୍ୟୁ
ଛୋଟ ଝଗଡାଟିଏ ବି
ରଙ୍ଗକୁ ବି ମାରି ଦିଏ
ତୁମ ଆଉ ମୋ ପସନ୍ଦ
ବିପରୀତ ଦିଗରେ ଧାଇଁ ଯାଆନ୍ତି
ତୁମ ୱାର୍ଡ ରୋବ ଆଉ ମୋ ୱାର୍ଡ ରୋବ
ଭିତରେ ଥିବା ଶଗୁଆନ ପାର୍ଟିସନ
କହିଦିଏ ଗୋଟିଏ ଯୁଗର ବ୍ୟବଧାନ
ପାଖା ପାଖି ଓହଳି ଥିବା
ତୁମ ଆଉ ମୋ ପୋଷାକ ଭିତରେ
ତୁମେ କୁହ -ତୁମକୁ ସବୁ ରଙ୍ଗ ଚଳେ
ମୁଁ କହେ - ତୁମକୁ ସବୁ ରଙ୍ଗ ମାନେ ।