କେତେଦିନ ପରେ ବୁଲି ଯାଇଥିଲି
କେତେଦିନ ପରେ ବୁଲି ଯାଇଥିଲି
କେତେଦିନ ପରେ ବୁଲି ଯାଇଥିଲି
ପିଉସୀ ଘରକୁ ମୁହିଁ
ଦେଖିଲି ତାଙ୍କର ପୁରୁଣା ଘରଟା
ସେମିତିକା ଆଉ ନାହିଁ ।।
ନଥିଲା ତାଙ୍କର ଆମ୍ବଗଛ ଅବା
ମିଠା ଜାମୁକୋଳି ଗଛ
ଛପର ଜାଗାରେ ଠିଆ ହୋଇଥିଲା
କୋଠାଟିଏ ଭାରି ଉଚ୍ଚ ।।
ବାଡ଼ିର ଗଡ଼ି଼ଆ ନଥିଲା ସେଇଠି
ଆସୁଥିଲା କଳ ପାଣି
ଗାଁଆଟା ସତେକି ସହର ହୋଇଛି
ପାରିଲି ନାହିଁ ମୁଁ ଜାଣି ।।
ଗାଁଆ ପିଲେ ଆଉ ଦାଣ୍ଡରେ ନଥିଲେ
ଖେଳିବାକୁ ବାଟି ଖେଳ
ଭାଗବତ ଟୁଙ୍ଗୀ ପଡ଼ିଥିଲା ତାଲା
କାହାକୁ ନଥିଲା ବେଳ ।।
ମାଗୁଣି ଗୁଡ଼ିଆ ଦୋକାନ ଜାଗାରେ
ବଡ଼ ହୋଟେଲ ଟେ ଠିଆ
ସମସ୍ତଙ୍କ ଘର ଫାଟକରୁ ତାଲା
ସହରୀ ଜୀବନ ନୁଆ ।।
କେହି କାହାରିକୁ ନଜାଣିବା ପରି
ସତେକି ନୁଆ ଅତିଥି
ଲୋକେ ଭୁଲିଛନ୍ତି ପୁନେଈଁ ପରବ
ପାଳନୀୟ ଯେତେ ତିଥି ।।
ଗଛ କଟାହୋଇ ସେଇଠି ହେଇଛି
କାରଖାନା ଗୋଟେ ନୁଆ
ଅଣ ନିଶ୍ୱାସୀ ମୁଁ ହୋଇଲି ନଥିଲା
ମୁକ୍ତ ଆକାଶ କି ବାଆ ।।
ଧୂଆଁଳିଆ ସେଠି ଦିଶିଲା ଆକାଶ
ହୋଇଲି କେତେ ମୁଁ ଭାଳି
ଗାଁଆ ରେ ସପନ ଲାଗୁଥିଲା ମତେ
ପକ୍ଷୀ ଙ୍କ ମିଠା କାକଳି ।।
ମାନୁଚି କେହିବି ନାହାନ୍ତି ବେକାରୀ
ହେଲେ ନାହିଁ ସେଇ ଶୋଭା
ଗାଁଆଟା ସହର ପାଲଟିଲା ପରେ
ଲାଗିଲାନି ମନଲୋଭା ।।
**************************
ବିଖ୍ୟାତ ବିହାରି ମିଶ୍ର,ଅନୁଗୁଳ