କେତେବେଳେ ନ କାନ୍ଦିଛି
କେତେବେଳେ ନ କାନ୍ଦିଛି
ଜନ୍ମ ହେଲା କ୍ଷଣି ସମସ୍ତେ କାନ୍ଦନ୍ତି
ମୁଁ ମଧ୍ୟ କାନ୍ଦିଥିଲି,
ଏଥିରେ ଆଶ୍ଚର୍ଯ୍ୟ ବୋଲି କିଛି ନାହିଁ
କିନ୍ତୁ, ମୁଁ ମାଆ ଗର୍ଭରୁ ବିଚ୍ଛେଦ ଦୁଃଖରେ
ଯେତେ କାନ୍ଦି ନଥିଲି
ବାପାଙ୍କ ଆଖିରେ ଝିଅ ହେବାର ଧିକ୍କାର ଦେଖି;
ସେତେ ବେଶୀ କାନ୍ଦିଥିଲି ।
କିଶୋରାବସ୍ଥାରେ ସୁନ୍ଦର ଦେଖାଯିବା
ସାଧାରଣ କଥା,
ମୁଁ ମଧ୍ୟ ଦେଖା ଯାଉଥିଲି
ସେଇ ସୁନ୍ଦରତା ଅଭିଶାପ ହେଲା
ଯଦ୍ୱାରା ଶିକ୍ଷକଙ୍କ ପାପ ଲାଳସାର
ଶିକାର ମୁଁ ହେଲି !
ଆଉ ସେ ଦୁଃଖରେ ରାତି ରାତି ଲୁଚି କାନ୍ଦିଲି ।
ଯୌବନରେ ପାଦ ଦେଲା ପରେ
କେତେ ସ୍ୱପ୍ନ ଦେଖେ ଆଖି
ମୋ ଆଖି ମଧ୍ୟ ଠିକ୍ ସେମିତି ଦେଖୁଥିଲା,
ମାତ୍ର, ମୋ ଅଜାଣତରେ ବାପା ବାହାଘର
ସ୍ଥିର କରି ଦେଇଥିବା ଜାଣି,
ସ୍ୱପ୍ନ ସବୁକୁ ଆଖିର କୋଣେ ଦଳି
କାନ୍ଦିଥିଲି ନିଜକୁ ଅସହାୟ ମଣି ।
ଗର୍ଭଧାରଣାର ପ୍ରତିଟି ମୁହୂର୍ତ୍ତ
ଦେଇଥାଏ କେତେ ଅନୁଭୂତି ମିଠା
ମୁଁ ମଧ୍ୟ ସେଇ ମୂଲ୍ୟବାନ ଅନୁଭୂତି ସାଉଁଟି ଥିଲି,
କିନ୍ତୁ, ସନ୍ତାନର ବୋଝ ଏତେ ଶୀଘ୍ର ଉଠେଇବାକୁ
ରୋକ ଠୋକ ମନା କରିଦେଇ ମୋ କାପୁରୁଷ ସ୍ବାମୀ;
କଲେ ଯେବେ ମୋ ଗର୍ଭପାତ
ସେବେ ନିଜ ମାତୃତ୍ୱକୁ ଧିକ୍କାରୀ କାନ୍ଦିଲି ।
ଶୂନ୍ୟ କୋଳର ଶୂନ୍ୟତାକୁ ଭରିଦେବା ପାଇଁ
ଆସେ ଯେବେ ନବ ଅତିଥି,
ଖେଳିଯାଏ ଶୂନ୍ୟ ଜୀବନରେ ଫୁଲ ନାନା ଜାତି
ମୋ ମଧ୍ୟ ଠିକ୍ ସେମିତି ଅବସ୍ଥା ଥାଏ
ମାତ୍ର, ଯେବେ ଜାଣିଲି ସେ ମୋ ଗର୍ଭଜାତ ସନ୍ତାନ
ପୌରୁଷ୍ୟ ମନୋବୃତ୍ତି ରଖି ଭେଦଭାବ କରୁଛି,
ତା ପରେ ନିଜକୁ ନିଜେ ଘୃଣା କରି କାନ୍ଦିଥିଲି ।
ବୟସ ବଢି ଚାଲିଲେ ମୂଲ୍ୟ କମି ଚାଲେ
ଯାହା ପାଇଁ ରକ୍ତକୁ ପାଣି କରାଯାଇଥାଏ
ସେ ଧୀରେ ଧୀରେ ଭୁଲିଚାଲେ,
ମୋ ଅବସ୍ଥା ମଧ୍ୟ କିଛି ଅଲଗା ନଥିଲା
ପ୍ରତି ଦିନ ସନ୍ତାନର ବିଭିନ୍ନ ଶିକୁଳି ଭିତରେ
ନିଜକୁ ବାନ୍ଧି ରଖିବାର ଅନବରତ ପ୍ରୟାସ କରି
ଗୁମୁରି ଗୁମୁରି କାନ୍ଦୁଥିଲି ।
ଆରମ୍ଭରୁ ଶେଷ ପର୍ଯ୍ୟନ୍ତ
ହସ ଟିକିଏ ପାଇବା ପାଇଁ
କେତେ ଚେଷ୍ଟା କରିଥିଲି
କିନ୍ତୁ, ମୋ ଜୀବନ ତ ଏକ ନର୍କ ଥିଲା
ସେଇ ନର୍କକୁଣ୍ଡରେ ବୁଡିରହି
ଖୁସି ପ୍ରତିବଦଳରେ ଦୁଃଖ ପାଇ
ମୁଁ ଅବିରତ କାନ୍ଦିଥିଲି ।
